ବାଲିଗୁଡ଼ା,୬/୩: ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଏହାର ରବିନ୍ଦ୍ର ମୁଣ୍ଡାରୀ ଓ ତାଙ୍କ ଟିମ୍ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଥିଲେ । ପୋଲିସକୁ ଦେଖି ଦୌଡ଼ି ପଳାଇବା ବେଳେ ପିଛା କରି ଦୁଇଜଣଙ୍କୁ ପୋଲିସ୍ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଦୁଇଜଣ ପୋଲିସ୍ ଏଏସ୍ ଆଇ ପୋଷାକ ପିନ୍ଧି ନିଜକୁ ପୋଲିସ୍ ସଜେଇ କିଛି ସ୍ଥାନୀୟ ଦୁର୍ବୃତ୍ତଙ୍କ ସହ ମିଶି ସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଓ ଲୋକମାନଙ୍କ ଠାରୁ ଟଙ୍କା,ସୁନା ଓ ଗଞ୍ଜେଇ ଆଦି ଲୁଟ୍ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର କରୁଥିଲେ ବୋଲି ପୋଲିସ କହିଛି । ସେପଟେ ଦୁଇ ଫେକ୍ ପୋଲିସ୍ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର୍, ଗୋଟିଏ ଲୁହା ରଡ୍, ଦୁଇଟି ବେତ ଲାଠି,ଦୁଇହଳ ପୋଲିସ୍ ଡ୍ରେସ୍, ଗୋଟିଏ ଖେଳଣା ପିସ୍ତଲ୍,ସାତୋଟି ପୋଲିସ୍ ଟୋପି ସହ ବିଭିନ୍ନ ମାରଣାସ୍ତ୍ର ଜବତ୍ କରିଛି ପୋଲିସ । ଗିରଫ ଦୁଇଜଣ କଟକ ଜିଲ୍ଲା ଚଣ୍ଡୀ ଛକ ଓ କନିକା ଛକ ଅଞ୍ଚଳର ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଏଭଳି ଲୁଟ୍ କେତେଦିନ ହେଲା ଏବଂ କେଉଁ କେଉଁ ସ୍ଥାନରେ ହୋଇଛି ସେନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ।