ଅନାହାରରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ

ସମ୍ବଲପୁର :ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନକୌଡା ଅଞ୍ଚଳରେ ଜଣେ ଅସହାୟ ବୃଦ୍ଧାଙ୍କ ଅନାହାର ଯୋଗୁଁ ମୃତ୍ୟୁ ଅଭିଯୋଗ କରାଯାଇଛି । ସ୍ଥାନୀୟ ଧନୁପାଲି ପାଖ ପିଲାକନ୍ଦେଇ ପଡାରେ ଏହି ବୃଦ୍ଧା ଜଣକ ତାଙ୍କ ସ୍ବାମୀଙ୍କ ସହିତ ରହୁଥିଲେ ଓ ପ୍ରାୟ ୬ମାସ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସେ ଅସହାୟ ହୋଇ ଏଣେତେଣେ ବୁଲି ପେଟ ପୋଷୁଥିଲେ ବୋଲି ଜଣାପଡିଛି । ଇତିମଧ୍ୟରେ ସେ ଭୋକଉପାସ ଯୋଗୁଁ ଦୁର୍ବଳ ଅସହାୟ ହୋଇ ଧନକୌଡା ପାଖ ଜାତୀୟ ରାଜମାର୍ଗ କଡ ବସଷ୍ଟାଣ୍ଡ ରେ ପଡି ରହିଥିବା ଜଣା ପଡିଛି । ଗତ ୪ତାରିଖ ରାତି ପ୍ରାୟ ୯ଟା ସମୟରେ କିଛି ସ୍ଥାନୀୟ ଯୁବକ ତାଙ୍କର ଏହି ଅବସ୍ଥା ଦେଖି ପୁଲିସ ଓ ଆମ୍ବୁଲାନ୍ସ କୁ ଫୋନକରି ଡକେଇଥିଲେ । ପୁଲିସ ଆସି ତାଙ୍କର ଏପରି ଅବସ୍ଥା ଦେଖି ମଧ୍ୟ କିଛି ନ କରି ସେଠାରୁ ଚାଲିଯିବାର ଅଭିଯୋଗ ସାମ୍ନାକୁ ଆସିଛି । ଏପରି ଅସହାୟ ଅବସ୍ଥାରେ ଗତକାଲି ଶନିବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଏହି ବିଷୟରେ ଖବରପାଇ ପୁଲିସ ଶବକୁ ନିୟନ୍ତ୍ରଣ ରେ ନେଇ ପୋଷ୍ଟମୋର୍ଟମ ପାଇ ପଠାଇବା ସହିତ ସୟର ଥାନାରେ ଅପମୃତ୍ୟୁର ଏକ ମାମଲା ରୁଜୁ କରାଯାଇଛି ।

Comments (0)
Add Comment