କଳାହାଣ୍ଡିରେ ୨ହଜାର ୮୫କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଭୋକର ଭୂଗୋଳ ଏବେ ଭାତ ହାଣ୍ଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମହାମାରୀ ସମୟରେ ଦୀର୍ଘ ୯ମାସ ପରେ ଆଜି କଳାହାଣ୍ଡି ଗସ୍ତ କରି ୨ ହଜାର ୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ୫୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ କହିଲେ, ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥରମାଡ କରିଥିଲେ । ବିଜୁବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ । ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ପଚାରିଲି ବିଜୁବାବୁ କହିଥିଲେ, ବ୍ୟସ୍ତ ହୁଅ ନାହିଁ, କଳାହାଣ୍ଡି ବାସୀ ମତେ ବହୁତ ଭଲପାଆନ୍ତି, ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲପାଏ । କଳାହାଣ୍ଡି ମାଟିରେ ମୋର ଯେତିକି ରକ୍ତ ବିନ୍ଦୁ ଅଛି କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ଗୁଣା ପରିଶ୍ରମ କରିବି ।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ସ୍ମୃତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ମାଆର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି ସେତେବେଳେ ବିଜୁବାବୁଙ୍କର ଏହି କଥା ମେ ମନକୁ ବାରମ୍ବାର ଆସୁଥିଲା । କଳାହାଣ୍ଡିର ବିକାଶ ପାଇଁ ମାର୍ଗ ଦେଖାଉଥିଲା । ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜ୍ୱଳ ହୋଇଛି । ଓଡିଶା ନୂଆବାଟ ଦେଖାଇଛି । କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭୋଗର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତ ହାଣ୍ଡି ହୋଇଛି । କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ କଳାହାଣ୍ଡି ଯଥେଷ୍ଟ ଚାଉଳ ଯୋଗାଉଛି । ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି କଳାହାଣ୍ଡି ଏକା ସେତିକି ଚାଉଳ ଯୋଗାଉଛି । ଏସବୁ ସମ୍ଭବ ହୋଇଛି କଳାହାଣ୍ଡିର ଚାଷୀମାନଙ୍କ ପାଇଁ । କଳାହାଣ୍ଡିବାସୀଙ୍କ ଦୃଢ ଇଚ୍ଛାଶକ୍ତି, ଗଭୀର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁ ଭୋକର ଭୂଗୋଳର ମାନଚିତ୍ର ଆଜି ବଦଳି ଯାଇଛି । ସଂଗ୍ରହ ଋତୁରେ କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨ଶହ କୋଟି ଟଙ୍କା ଦିଆଯାଇଛି । ଜଳସେଚନ ସୁବିଧା ଏବେ ୩ଗୁଣା ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ହୋଇପାରିଛି ।

ମାଛ ଚାଷ କ୍ଷେତ୍ରରେ ମଧ୍ୟ କଳାହାଣ୍ଡି ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ଲାଭ କରିଛି । ମୁଖ୍ୟମନ୍ତ୍ରୀ କହିଲେ ଯେ, ୨୦୦୦ ମସିହାରେ କଳାହାଣ୍ଡିରେ ଶିଶୁ ମୃତ୍ୟୁହାର ପ୍ରତି ୧୦୦୦ରେ ୭୬ଥିଲା । ମାତ୍ୟ ମୃତ୍ୟୁହାତ ୪୩୨ଥିଲା । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଏହି ହାରରେ ପରିବର୍ତ୍ତନ ଆସିଛି । ଅର୍ଥାତ ଏହା ବହୁତ ପରିମାଣରେ କମିଯାଇଛି । କଳାହାଣ୍ଡିର ଏହି ରୂପାନ୍ତରର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ଇନ୍ଦ୍ରବତୀକୁ ଦେଇଥିଲେ । ଇନ୍ଦ୍ରାବତୀ ମାଆ, କଳାହାଣ୍ଡି ଆମର ଜୀବନ ରେଖା । ସେ ତାର ପ୍ରତିଟି ଜଳବିନ୍ଦୁ ଦେଇ କଳାହାଣ୍ଡିକୁ ସମୃଦ୍ଧ କରିଛି । କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି । ମାଆ ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ଉଦ୍ୟାନ ଓ ସଂଗ୍ରହାଳୟ କରାଯିବ । ଏହି ସଂଗ୍ରହାଳୟ ସାରା ବିଶ୍ୱକୁ କଳାହାଣ୍ଡିର ପ୍ରଗତି କାହାଣି କହିବ । ଏହି ଉଦ୍ୟାନ ଭିତରେ ମାଆ ଇନ୍ଦ୍ରାବତୀଙ୍କର ଏକ ଭବ୍ୟମନ୍ଦିର ନିର୍ମାଣ କରାଯିବ । ଇନ୍ଦ୍ରାବତୀର ଟୋପାଏ ଜଳବିନ୍ଦୁକୁ ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି କାର୍ଯ୍ୟକ୍ରମର ଅବସରରେ ଏହି ଜିଲ୍ଲାର ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର, ଶ୍ରୀମତି ଟିକୁନି ସାହୁ, ରଘୁନନ୍ଦନ ଦାଶ ଉଦ୍‌ବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲାର ବହୁ ଲୋକଙ୍କ ସମାଗମ ହୋଇଥିଲା ।

Comments (0)
Add Comment