ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ଜିଲ୍ଲାରେ ସଚ୍ଛ ଭାରତ ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳର ଗରୀବ ପରିବାରକୁ ସମ୍ପୁର୍ଣ୍ଣ ମାଗଣାରେ ସରକାର ୧୨ ହଜାର ଟଙ୍କାରେ ବ୍ୟକ୍ତିଗତ ଘରୋଇ ପାଇଖାନା ଯୋଗାଇ ଦେଉଛନ୍ତି । ଏ ଯୋଜନା ମାଧ୍ୟମରେ ଜିଲ୍ଲାର ସମସ୍ତ ପରିବାରକୁ ପାଇଖାନା ଯୋଗାଇଦେବାକୁ ନିଷ୍ପତ୍ତି ସରକାର ନେଇଥିଲେ ମଧ୍ୟ ତାହା କିଭଳି ତୃଣ ମୂଳସ୍ତରରେ କାର୍ଯ୍ୟକାରୀ ହେଉଛି ଆଉ କେହି ଦେଖୁନାହାନ୍ତି । କିଛି ସ୍ୱେଚ୍ଛାସେବୀ ସଂସ୍ଥା ଓ ଠିକାଦାର ମାନଙ୍କୁ ଜିଲ୍ଲା ଜଳ ପରିମଳ ବିଭାଗ ନିର୍ମାଣ ଦାୟିତ୍ୱ ଦେଇ ବସି ରହିଥିବା ଅଭିଯୋଗ ହୁଏ । ପାଇଖାନା ନିର୍ମାଣ କାମ ଅଧାପନ୍ତରିଆ ଅବସ୍ଥାରେ ଛାଡି ଦେଇ ବିଲ୍ ଉଠାଇ ନିର୍ମାଣକାରୀ ସଂସ୍ଥା ଓ ଠିକାଦାର ଫେରାର ହେଉଛନ୍ତି । କାମ ଦେଖିବା ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସହ ହାତ ମିଶାଇ କାମ ନ ହୋଇ ବିଲ୍ ପାଇ ଯାଉଛନ୍ତି ।

କଣ୍ଟାମାଳ ବ୍ଲକ୍ ବରଗୋଛା ଗ୍ରାମ ପଂଚାୟତ ସିଗାଡି ଗ୍ରାମକୁ ଗଲେ ଏ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି । ଗ୍ରାମର ପ୍ରାୟ ୬୦ /୭୦ ଗୋଟି ପରିବାରର ଘରୋଇ ବ୍ୟକ୍ତିଗତ ପାଇଖାନା ନିର୍ମାଣ ହୋଇଛି । କାହାର ଆଜବେଷ୍ଟସ ଛାତ ହୋଇ ନାହିଁ ତ କାହାର କାନ୍ଥ ସମ୍ପୁର୍ଣ୍ଣ ହୋଇ ନାହିଁ । କିଛି ହିତାଧିକାରୀମାନଙ୍କ ପେନ ବସିନଥିବା ବେଳେ କାହାର କବାଟ ଲାଗିନାହିଁ । ସେହିପରି କିଛି ଲୋକଙ୍କ ପାଇଖାନା ନିର୍ମାଣ ବିଲକୁଲ ନ ହୋଇ ନିର୍ମାଣ କରିଥିବା ସଂସ୍ଥା ବିଲ୍ ଉଠାଇ ଖାଇ ଦେଇଥିବା ଅଭିଯୋଗ ହୁଏ । ଲୋକେ ପାଇଖାନା ବ୍ୟବହାର କରିନପାରି ଅସୁବିଧା ଭୋଗ କରୁଥିବା ଓ ବାହାରେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି । ଏ ଦିଗରେ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Comments (0)
Add Comment