ଅବଧି ସରିଲାଣି, ସରୁନି ସେତୁ ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ସରକାରୀ ଯୋଜନା ଗୁଡିକର ସୁଫଳ ପାଇଁ ଯୋଗାଯୋଗର ମୁଖ୍ୟ ଉପାଦାନ ହେଉଛି ଉନ୍ନତ ରାସ୍ତାଘାଟ । ଭଲ ସଡକ ପଥ ନଥିଲେ ସମସ୍ତ ଯୋଜନାଗୁଡିକ ଲୋକଙ୍କ ପାଇଁ ଅପହଞ୍ଚ ପାଲଟିଥାଏ । ୨୦୧୬ ମସିହା ଠାରୁ ନିର୍ମାଣଧୀନ କୁଶାଶିଙ୍ଗା ବିଜୁ ସେତୁ ଇତି ମଧ୍ୟରେ ୪ ବର୍ଷ ବତି ଯାଇଥିଲେ ମଧ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ଏହି ସେତୁଟି ହରଭଙ୍ଗାଠାରୁ କୁଶଙ୍ଗ ପଞ୍ଚାୟତକୁ ଯୋଗ କରୁଥିବା କୁଶାଶିଙ୍ଗା ନାଳ ଉପରେ ଏହି ସେତୁ ନିର୍ମାଣଧୀନ ଅଟେ । ଏହି ସେତୁର ଅଟକଳ ୩କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ଅଟେ । ଧାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନା ଠିକାଦାର କାହାର କାର୍ଯ୍ୟ ଶେଷ କରିବାକୁ ଆନ୍ତରିକତା ନଥିବା ଭଳି ମନେ ହେଉଛି ।ଯାହା ଫଳରେ ଏହି ସେତୁ ଉପରେ ନିର୍ଭରଶୀଳ ୪ଟି ପଞ୍ଚାୟତର ୨୫ହଜାରରୁ ଉର୍ଦ୍ଧ୍ୱ ଲୋକ ଯାତାୟତରେ ନାହିଁ ନଥିବା ଦୁର୍ଦଦଶା ଭୋଗ କରୁଛନ୍ତି । ସରକାର ଆଦିବାସୀ ଅଧ୍ୟୁଷିତ ଅଂଚଳଗୁଡିକର ବିକାଶ ପାଇଁ ବହୁ ସ୍ୱତନ୍ତ୍ର ଯୋଜନା କରୁଥିଲେ ମଧ୍ୟ ତାହା ବାସ୍ତବରେ ଲୋକଙ୍କ ପାଥକୁ ପହଞ୍ଚି ପାରୁନାହିଁ । ଉକ୍ତ ସେତୁଟି ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିନର କାର୍ଯ୍ୟକାରୀ ହେଉଛି ।

ଏଣୁ ସେତୁ ନିର୍ମାଣ ଶୀଘ୍ର ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ସେତୁ କାର୍ଯ୍ୟ ହାତେଇଥିବା ଠିକାଦାର ଜଣକ ସେତୁ ନିର୍ମାଣର ଅବଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ଶେଷ କରିବାର ନାଁ ଧରୁନାହାନ୍ତି । ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ସମେତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମଧ୍ୟ ଠିକାଦାରକୁ ଶୀଘ୍ର ସେତୁ କାର୍ଯ୍ୟ ଶେଷ କରିବାକୁ ଚରମବାଣୀ ଶୁଣାଇବା ସତ୍ତ୍ୱେ ଠିକାଦାର ଶୁଣୁନାହାନ୍ତି । ବିଭିନ୍ନ ଆଳ ଦେଖାଇ ଠିକାଦାର କହିଛନ୍ତି ଯେ, ଲକଡାଉନ ଓ ସଡଡାଉନ, ବର୍ଷା ଓ ବନ୍ୟା ଲାଗି ରହିଥିବାରୁ କାର୍ଯ୍ୟ ବିଳମ୍ବ ହୋଇଛି । ସେହିପରି ସେତୁର ଦୁଇପାଶ୍ୱର୍ରେ ଥିବା ଜମି ଅଧିଗ୍ରହଣ ହୋଇନଥିବାରୁ ରାସ୍ତା କାର୍ଯ୍ୟ ବିଳମ୍ବ ହେଉଥିବା ଠିକାଦାର ଅଭିଯୋଗ କରିଛନ୍ତି । ସେହିପରି ଗତବର୍ଷ ଅଗଷ୍ଟ ମାସରେ ହରଭଙ୍ଗା ଅଂଚଳକୁ ଗ୍ରାମ୍ୟ ନିର୍ମାଣ ବିଭାଗର ମନ୍ତ୍ରୀ ସୁଶାନ୍ତ ସିଂ ଆସିଥିବା ବେଳେ ଗ୍ରାମବାସୀମାନେ ସେତୁ ନିର୍ମାଣରେ ବିଲମ୍ବ ହେଉଥିବା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ସେହି ସମୟରେ ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର ସେତୁ ନିର୍ମାଣ ଶେଷ କରିବା ପାଇଁ ତାଗିଦ୍ କରିଥିଲେ ।

Comments (0)
Add Comment