ବୌଦ୍ଧ: ଗରିବ ଗୃହହୀନଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ବାସଶୂନ୍ୟ ଗରିବ ଲୋକ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ସବୁବେଳେ ଶୁଣିବାକୁ ମିଳେ । ଏଭଳି ଅଭିଯୋଗ ଆସିଛି ବୌଦ୍ଧବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତର ଗିରାସିଙ୍ଗା ଗ୍ରାମରୁ । ଗ୍ରାମର ଭଗବାନ ପଟ୍ଟନାୟକଙ୍କ ନାମ ହିତାଧିକାରୀ ତାଲିକାର କ୍ରମିକ ନଂ ୧୧୪ରେ ଥିଲେ ମଧ୍ୟ ସେ ଆଜିଯାଏଁ ଘର ପାଇନାହାନ୍ତି ଅଥଚ ତାଙ୍କଠାରୁ ଆହୁରି ତଳେ ତାଲିକାରେ ଥିବା ହିତାଧିକାରୀମାନେ ପାଇସାରିଲେଣି । ହିତାଧିକାରୀ ତାଲିକାରେ ନାମ ସଂଯୋଗ ପାଇଁ ଆବେଦନ କରିଥିବା ରବି ନାରାୟଣ ପଟ୍ଟନାୟକଙ୍କ ଦରଖାସ୍ତ ପଞ୍ଚାୟତରୁ ହଜି ମଧ୍ୟ ଯାଉଛି । ଦରଖାସ୍ତର ପ୍ରାପ୍ତିସ୍ୱୀକାରକୁ ଧରି ସେ ବସିଛନ୍ତି । ଯିଏ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଧରାକରା କରିପାରିଲା କିମ୍ବା ଲାଞ୍ଚ ଦେଇପାରିଲା ତାଙ୍କ ନାମରେ ଏକାଧିକ ଘର ମଧ୍ୟ ମଞ୍ଜୁର ହେଉଥିବା ଗ୍ରାମବାସୀ ଅଭିଯୋଗ କରନ୍ତି । ସେହିପରି ୧୦ ଏକର ଜମି, କୋଠାଘର ଓ ଟ୍ରାକ୍ଟର ଥାଇ ମଧ୍ୟ ଧନୀକ ଶ୍ରେଣୀର ଲୋକେ ଆବାସ ଘର ପାଉଥିବା ଜଣାଯାଏ ।
ଏ ଦିଗରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।