କାର୍ ଧକ୍କାରେ ବୃଦ୍ଧ ମୃତ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ବମ୍ପଡରା ଗ୍ରାମ ପାଖରେ ୫୯ ନମ୍ବର ଜାତୀୟ ରାଜପଥରେ ଆଜି ସଂଧ୍ୟାରେ କାର ଧକ୍କାରେ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ନିକଟସ୍ଥ ସଇଡ଼ା ପଞ୍ଚାୟତ ଶରଣକୋଟ ଗ୍ରାମର ଗଦା ପ୍ରଧାନ(୬୨) ବୋଲି ଜଣାପଡ଼ିଛି । ଗଦାଙ୍କ ସ୍ତ୍ରୀ ଗୁରୁବାରୀ ପ୍ରଧାନ ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ନିମନ୍ତେ ବମ୍ପରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଗୁରୁବାରୀଙ୍କୁ ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କୁ ସେଠାରେ ଛାଡ଼ି ରାସ୍ତାର ଅପର ପାର୍ଶ୍ଵରେ ଥିବା ଔଷଧ ଦୋକାନକୁ ଯାଇଥିଲେ। ସେଠାରୁ ଔଷଧ କିଣି ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରିବା ପାଇଁ ଚାଲି ଚାଲି ରାସ୍ତା ପାରି ହେଉଥିବା ବେଳେ ପାଳଲହଡ଼ା ପଟୁ ଆସୁଥିବା କାର ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। କାର ଧକ୍କାରେ ଗଦା ଗୁରୁତର ଆହତ ହୋଇଥିଲେ। ଲୋକଙ୍କ ସହାୟତାରେ ତାଙ୍କୁ ବମ୍ପରଡ଼ା ସ୍ବାସ୍ଥ୍ୟକେନ୍ଦ୍ରରୋ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସା କଲାପରେ ଆହୁରି ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଥିଲେ। ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେଠାରେ ଗଦାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

Comments (0)
Add Comment