ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପାଝିଅଙ୍କ ଜୀବନ, ଚାରି ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ବୌଦ୍ଧ: ଦୁଃଖ ଉପରେ ଦୁଃଖ ଆଉ ଲୁହର ଧାରରେ ଭାସୁଛି ସାରା ଗାଁ। ଗତ କିଛି ମାସ ପୂର୍ବରୁ ବୌଦ୍ଧ ଜିଲ୍ଲାର ଟିକରପଡା ପଂଚାୟତ ଚରିଆପାଲି ଗ୍ରାମରେ ଗୋଟିଏ ରାତିରେ ଚିତି ସାପ କାମୁଡା ରେ ଏକାକାଳୀନ ତିନି ଜଣଙ୍କ ମୃତ୍ୟୁର ଦୁଃଖ ଗ୍ରାମବାସୀଙ୍କ ମନରୁ ଲିଭିନଥିବା ବେଳେ ବର୍ତମାନ ପୁଣି ଏକ ସଡ଼କ ଦୁର୍ଘଟଣା ରେ ବାପା ଝିଅ ର ମୃତ୍ୟୁ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ମୁତାବକ ବୌଦ୍ଧ ଥାନା ଅନ୍ତର୍ଗତ ଟିକରପଡା ପଂଚାୟତ ଚାରିଆପାଲି ଗ୍ରାମର ଗଜେନ୍ଦ୍ର ମଲ୍ଲିକ ଙ୍କ ପତ୍ନୀ ଓ ଚାରି ଝିଅଙ୍କୁ ନେଇ ସଂସାର। ଗତକାଲି ଗଜେନ୍ଦ୍ର ନିଜ ଶଶୁର ଘର ଜିଲେଜୁ ଗ୍ରାମ ରୁ ନିଜ ପତ୍ନୀ ଓ ବଡ଼ ଝିଅ କୁ ଛାଡି ସାନ ତିନି ଝିଅଙ୍କୁ ବାଇକରେ ନେଇ ନିଜ ଗାଁକୁ ଫେରୁଥିଲେ। ତେବେ ଆମ୍ବଝରି ପଂଚାୟତ ଗଉଣ୍ଡିସର ନିକଟରେ ଅପର ପଟରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଗଜେନ୍ଦ୍ରଙ୍କ ସହ ତାଙ୍କ ସାନ ମଝିଆ ଝିଅ ଲିପ୍ସାର ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାତ ଜଣ ଗୁରୁତର ଆହତ ହୋଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତନ୍ମଧରୁ ଆଉ ଦୁଇ ଜଣଙ୍କ ଅବସ୍ଥା ସଙ୍କଟରେ ଥିବା ସୂଚନା ମିଳିଛି। ଘଟଣା ସମ୍ପର୍କ ରେ ସୂଚନା ପାଇ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ତହସିଲଦାର ଅନିତା ସାହୁ, ବିଡ଼ିଓ ଯୁଧିଷ୍ଠିର ମେହେର, ଜରୁରୀକାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ ପ୍ରମୁଖ ବୌଦ୍ଧ ଡାକ୍ତରଖାନାରେ ପହଂଚି ଗୁରୁତର ଆହତଙ୍କୁ ଭେଟିଥିଲେ। ଏହି ସଡ଼କ ଦୁର୍ଘଟଣା କୁନେଇ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେପଟେ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜ୍ଞାପନ ସହ ଉଭୟ ମୃତକଙ୍କ ପାଇଁ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Comments (0)
Add Comment