ମର୍ମନ୍ତୁଦ ସଡକ ଦୁର୍ଘଟଣା ;୪ ମୃତ, ୪ଗୁରୁତର

ଫୁଲବାଣୀ: ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲାହାବାଡି ବୁଲାଣି ରାସ୍ତାରେ ଘଟିଛି । ଘଟଣା ସ୍ଥଳରେ ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଫୁଲବାଣୀ ମେଡ଼ିକାଲରେ ମୃତ୍ୟୁ ହୋଇଥବା ସୂଚନା ମିଳିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବଇଡା ନିକଟସ୍ଥ ଲାହାବାଡି ବୁଲାଣି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନାମିଳିଛି । ଏକ ମାରୁତି ଓମିନି ଭ୍ୟାନରେ ୮ ଜଣ ବସି ତାଳପଡା ଗ୍ରାମରୁ ଭୋଜି ଖାଇ ରାତିରେ ଫେରୁଥିବା ବେଳେ ଫୁଲବାଣୀ-ବ୍ରହ୍ମପୁର ରାସ୍ତାର ବଇଡା ନିକଟ ଲାହାବାଡି ଠାରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକର ପଛପଟୁ ଧକ୍କା ଦେବା ଫଳରେ ଏଥିରେ ବସିଥିବା ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଚାରିଜଣ ଗୁରୁତର ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାର ଲୋକଙ୍କ ବୁକୁ ଫଟା ଚିତ୍କାର ପରିବେଶକୁ ଶୋକାକୂଳ କରିଥିଲା । ମୃତକମାନେ ସମସ୍ତେ ଗୁମାଗଡ଼ ନିକଟ ବାଡିସୁଗା ଓ ଶଙ୍କରାଖୋଲ ଗ୍ରାମର ବୋଲି ଜଣାପଡିଛି । ମୃତକମାନେ ହେଲେ ରୋଜାଲିନ ଡିଗାଲ, ଭଗିଆ ଡିଗାଲ,ଡ୍ରାଇଭର ଦୀପ୍ତି ରଞ୍ଜନ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ବୋଲି ଜଣାପଡିଛି । ଘରଠାରୁ ଅଳ୍ପ ଦୂର ଆସିବା ପରେ ଲାହାବାଡି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟୁଥିବା କୁହାଯାଉଛି । ସଦର ପୋଲିସ ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଓମିନି ଗାଡ଼ି ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି । ଗୁରୁତର ଚାରି ଜଣ ଆହତଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Comments (0)
Add Comment