ଓଲଟିଲା ବରଯାତ୍ରୀ ଗାଡି; ଜଣେ ମୃତ, ୧୫ଆହତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନୂଆପଡ଼ା ଗାଁ ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଗାଡ଼ି ଓଲଟି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ନୂଆପଡ଼ା ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତମାନଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ନୂଆପଡା ଗାଁରେ ଗତକାଲି ଏକ ବିବାହ ଉତ୍ସବ ଥିଲା। ଏଥି ନିମନ୍ତେ ଏକ ପିକ୍‌ଅପ୍‌ ଭ୍ୟାନରେ ୫୦ ବରଯାତ୍ରୀ ପାତଲପଡାରୁ ନୂଆପଡା ଗାଁକୁ ଆସୁଥିଲେ।  ରାତି ପ୍ରାୟ ୧୦ଟାରେ ନୂଆପଡ଼ା ଗାଁ ନିକଟରେ ଗାଡ଼ିଟି  ଭାରସାମ୍ୟ ହରାଇ ଓଲଟି ପଡିଥିଲା।ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ।  ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣା ତଦନ୍ତ କରୁଛି।

Comments (0)
Add Comment