ପୁରୀ- ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ତଥା ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ ଅମ୍ବାନୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ ଲାଭ କରିଥିଲେ।ମହାପ୍ରଭୁଙ୍କ ଆଲଟଲାଗି ନିତି ସହ ଶୟନ ନୀତି ମଧ୍ୟ ସେ ଦର୍ଶନ କରିଥିଲେ। ଏଥି ସହିତ ସେ ଭିତରେ ବେଢ଼ା ପରିକ୍ରମା କରିଥିଲେ। ତେବେ ଆକାଶ ଅମ୍ବାନୀଙ୍କ ପଣ୍ଡା ଜଗନ୍ନାଥ ସିଂହାରୀ ଆକାଶଙ୍କୁ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ। ପରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ତେବେ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ତାଙ୍କର ପଣ୍ଡା ଜଗନ୍ନାଥ ସିଂହାରୀ ତାଙ୍କୁ ମହାପ୍ରଭୁଙ୍କ ଏକ କାଠ ପ୍ରତିମୂର୍ତ୍ତି ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ଏହି ଅବସରରେ ଆକାଶ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଖାମ୍ ରେ ଦାନ ଦେଇଥିଲେ। ତେବେ ଆକାଶଙ୍କ ପଣ୍ଡା ଜଗନ୍ନାଥ ସିଂହାରି କହିଛନ୍ତି ପୁର୍ବରୁ ଆକାଶଙ୍କ ସାନ ଭାଇ ଅନନ୍ତ ଅମ୍ବାନୀ ତାଙ୍କ ବିବାହ ପୂର୍ବରୁ ଓ ବିବାହ ପରେ ମହାପ୍ରଭୁ ଙ୍କ ଆଶିର୍ବାଦ ନେବା ପାଇଁ ଆସିଥିଲେ। ପୂର୍ବରୁ ମୁକେଶ ଅମ୍ବାନୀ ମଧ୍ୟ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ ଅମ୍ବାନୀ ପରିବାର ସବୁ ବେଳେ ମହାପ୍ରଭୁଙ୍କୁ ଭକ୍ତି କରିଥାନ୍ତି। ଏଣୁ ବିଭିନ୍ନ ସମୟରେ ଅମ୍ବାନୀ ପରିବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ଯାଇଥାନ୍ତି।