ପ୍ରଧାନମନ୍ତ୍ରୀ ଆବାସ କଲୋନୀ ଅସାମାଜିକ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ

ଚିପିଲିମା : ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତ ବେହେରାଟିକ୍ରା ରେ ବହୁବର୍ଷ ହେଲା ୫୪ଟି ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ନେଇ ଏକ କଲୋନୀ ତିଆରି ହୋଇଛି l ଯାହାକି କଳାମାଟି ପଞ୍ଚାୟତର ଭୂମିହୀନଙ୍କୁ ଘରଗୁଡିକ ଦିଆଯାଇଛି l ସେଥିମଧ୍ୟରୁ ଅଧିକାଂଶ ଆବାସ ଗୃହ ଗୋଶାଳା ଚିପିଲିମା ରାସ୍ତା କଡରେ ଥିବା ଝୁପୁଡି ପଡାର ହିତାଧିକାରୀଙ୍କୁ ଦିଆଯାଇଛି l ହେଲେ ଉକ୍ତ କଲୋନୀରେ ଅଧିକାଂଶ ଲୋକ କେହି ରହୁନଥିବାବେଳେ, ସେମାନେ ନିଜନିଜ ପୁରୁଣା ଘରେ ରହୁଛନ୍ତି ଏବଂ କଲୋନୀରେ ପାଇଥିବା ଆବାସଗୃହକୁ ଅସାମାଜିକ ଲୋକଙ୍କୁ ଭଡାରେ ଦେଇଛନ୍ତି l ଯାହାଫଳରେ ସେ ଘରମାନଙ୍କରେ ଜୁଆ, ସଟ୍ଟା, ମଦଗଞ୍ଜେଇ ଭଳି ବିଭିନ୍ନ ଅପରାଧିକ କାର୍ଯ୍ୟସବୁ ହେଉଥିବାବେଳେ, ସେଠାରେ ବେଶ୍ୟାବୃତ୍ତି ମଧ୍ୟ ହେଉଥିବା ଭଳି ଗୁରୁତର ଅଭିଯୋଗ ହେଉଛି l ଏପରି ଏକ ଗୁରୁତର ଅଭିଯୋଗ ନେଇ ବେହେରାଟିକ୍ରାର କୈଳାସଚଦ୍ର ଭୋଇ, ରାଧେଶ୍ୟାମ ତଥା, କମଳାକାନ୍ତ ସେଠ, ସୁରେନ୍ଦ୍ର ମେହେର, ପିଣ୍ଟୁ ମେହେର ପ୍ରମୁଖ ଗ୍ରାମବାସୀ ଏକ ଦସ୍ତଖତ ସମ୍ମଳିତ ଅଭିଯୋଗ ପତ୍ର ନେଇ କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁଙ୍କୁ ଦେଇଛନ୍ତି l ଏପରି ଏକ ସମ୍ବେଦନଶୀଳ ଅଭିଯୋଗକୁ ନେଇ ସରପଞ୍ଚ ସୁଷମା ଘଟଣା ସ୍ଥଳକୁଯାଇ ତଦନ୍ତକରି ବେଆଇନ ଦଖଲରେ ଥିବା ଆବାସଗୃହ ସବୁ ୭ଦିନ ମଧ୍ୟରେ ଖାଲି କରିବାକୁ ତାଗିଦ କରିଥିବାବେଳେ, ଏନେଇ ଅଭିଯୋଗ ଫର୍ଦ୍ଧର ଅଧିକ ତଦନ୍ତ ସହ ବିହିତ ପଦକ୍ଷେପ ନେବାକୁ ବିଡ଼ିଓଙ୍କ ନିକଟକୁ ପଠାଇଥିବା ଜଣାପଡିଛି l ଅପର ପକ୍ଷରେ ସହାୟତା ପାଇଥିବା ଆବାସଗୃହ ସବୁ ଭଡାରେ ଦେବା ଏକ ଦଣ୍ଡନୀୟ ଅପରାଧ ହୋଇଥିବାବେଳେ, ଘର ପାଇଥିବା ହିତାଧିକାରୀମାନଙ୍କ ନାମରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବାଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା ସଚେତନ ମହଲରେ ଦାବି ହୋଇଛି l ଏନେଇ ଜିଲ୍ଲା ପ୍ରଶାସନଙ୍କୁ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାହେଉଛି l

Comments (0)
Add Comment