ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଁଚାଇଛନ୍ତି ଅମିତ

ଭୁବନେଶ୍ୱର : ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଆ ହକି ତାରକା ଅମିତ ରୋହିଦାସ ଆଜି (୧୬.୦୮.୨୦୨୪) ଓଡ଼ିଶା ଫେରିଛନ୍ତି। ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଅମିତ ରୋହିଦାସ ଆମର ଗର୍ବ ଓ ଗୌରବ I ସେ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଅମିତ ମଧ୍ୟ ନିଜର ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I

ଆଜି ହକି ତାରକା ଅମିତ ରୋହିଦାସ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ସମ୍ବାଦିକ ସମ୍ମିଳନୀରେ ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସେ ଆମର ଗର୍ବ ଓ ଗୌରବ। ହିରୋ ଏସିଆ କପରେ ସ୍ୱର୍ଣ୍ଣ, ହକି ୱାର୍ଲ୍ଡ ଲିଗରେ କାଂସ୍ୟ, ଏଫ୍ଆଇଏଚ ମେନ୍ସ ଚମ୍ପିଆନସିପରେ ରୌପ୍ୟ ଓ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଟୋକିଓ ଏବଂ ପ୍ୟାରିସ ଅଲିମ୍ପିକ୍ସରେ ହକି ଦଳକୁ ଦୁଇ ଥର ବ୍ରୋଞ୍ଜ ପଦକ ଜିତାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଆ ଖେଳାଳୀଭାବେ ସେ ଲଗାତର ଦୁଇ ଥର ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଛନ୍ତି ଏବଂ ଆମକୁ ଗୌରବାନ୍ୱିତ କରିଛନ୍ତି I ଆଗକୁ ହକିରେ ସ୍ୱର୍ଣ୍ଣ ପଦକ ଜିତିବାର ଏହା ସଙ୍କେତ ଦେଉଥିବା ସହିତ ଓଡ଼ିଶା ସରକାର ଭାରତୀୟ ହକି ଟିମକୁ ସ୍ପନସର୍ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହକିର ପ୍ରସ୍ତୁତି ପାଇଁ ଯାହାବି ଆବଶ୍ୟକ ଓଡ଼ିଶା ସରକାର ପ୍ରଦାନ କରିବେ ବୋଲି ସେ କହିଛନ୍ତି।

ଏହି ଅବସରରେ ଅମିତ ସମସ୍ତ ହକି ଖେଳାଳୀଙ୍କ ଦସ୍ତଖତ ଥିବା ଜର୍ସିକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଦୀର୍ଘ ୫୨ ବର୍ଷ ପରେ ହକିରେ ଲଗାତର ମେଡାଲ ଜିତିଥିବାରୁ ସେ ବହୁତ ଗର୍ବିତ ବୋଲି କହିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ, କ୍ରୀଡ଼ା ସଚିବ, ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖଙ୍କ ସହିତ ଅମିତଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ।

Comments (0)
Add Comment