ଡିଜିଟାଲ ଶିକ୍ଷାକୁ ଉପହାସ, କେବେ ସୁଧୁରିବ ଆଶ୍ରମ ବିଦ୍ୟାଳୟର ଅବସ୍ଥା

ଦଶପଲ୍ଲା : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଶିକ୍ଷା ର ବିକାଶ ପାଇଁ ଗ୍ରାମାଞ୍ଚଳରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଡିଜିଟାଲ ଶ୍ରେଣୀଗୃହ କାର୍ଯ୍ୟ ଚାଲିଥିବା ବେଳେ ତାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ । ଏପଟେ ଆଦିବାସୀ ହରିଜନ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ରମ ବିଦ୍ୟାଳୟ ସରକାର ଖୋଲିଥିବା ବେଳେ ତାହାର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଭୁଲି ଯାଉଥିବା ଭଳି ଏହି ଚିତ୍ରରୁ ଅନୁମାନ କରାଯାଉଛି ।ଏଭଳି ଏକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମାଇଛେଳି ପଂଚାୟତରୁ । ଉକ୍ତ ପଞ୍ଚାୟତର ଗୋହିରି ବାଦୁ ଆଶ୍ରମ ବିଦ୍ୟାଳୟ । ୧୯୫୧ ମସିହାରେ ସ୍ଥାପିତ ଉକ୍ତ ବିଦ୍ୟାଳୟଟି ବର୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୧୨୦ ଛାତ୍ରଛାତ୍ରୀ ପଢୁଛନ୍ତି । ଆବଶ୍ୟକ ଆଶ୍ରମ ବିଦ୍ୟାଳୟ ୧୯୫୧ରୁ ସ୍ଥାପିତ ହୋଇ ଏଯାବତ ନାହିଁ ଛାତ୍ରୀ ନିବାସ । ଶ୍ରେଣୀ ଗୃହ ନଥିବା ବେଳେ ଏଯାବତ ଛାତ୍ରୀନିବାସ ନଥିବା ହେତୁ ଦୂରଦୂରାନ୍ତର ଛାତ୍ରୀମାନେ ରହିବା ପାଇଁ ହନ୍ତସନ୍ତ ହେଉଛନ୍ତି । ବିଦ୍ୟାଳୟ ପାଚେରୀ ଅବସ୍ଥା କହିଲେ ନସରେ । ଖେଳ ପଡିଆର ଅଭାବ ହେତୁ ବିଦ୍ୟାର୍ଥୀ ମାନେ ମନୋରଞ୍ଜନ ରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏହିଭଳି ଅନେକ ଅସୁବିଧାରେ ଚାଲିଥିବା ଆଶ୍ରମ ବିଦ୍ୟାଳୟ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Comments (0)
Add Comment