ସାମୁହିକ ଐତିହ୍ୟ ସୁରକ୍ଷା ପାଇଁ ସଙ୍ଗଠନ

ସମ୍ବଲପୁର : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ପଶ୍ଚିମ ଓଡ଼ିଶା ନିଜ ସାଂସ୍କୃତିକ ଅସ୍ତିତ୍ବ ଓ ଐତିହ୍ୟକୁ ସୁରକ୍ଷିତ କରି ରଖିବା ପାଇଁଁ ଆପ୍ରାଣ ଉଦ୍ୟମ କରିଆସୁଛି।‌ ସେହିପରି ଛତିଶଗଡ଼ରେ ମଧ୍ୟ ସେଭଳି ପ୍ରୟାସ ଜାରି ରହିଛି ଓ ଉଭୟଙ୍କ ସମନ୍ୱିତ ପ୍ରଚେଷ୍ଟା ବଳରେ ଛତିଶଗଡ଼-ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ନାମକ ଏକ ସଂସ୍ଥାନ ଗଠିତ କରାଯାଇଛି।‌ ଏଥିରେ ଉଭୟ ପକ୍ଷର କିଛି ସମଭାବାପନ୍ନ ବୁଦ୍ଧିଜୀବୀ ତଥା ସାଂସ୍କୃତିକ ଓ ସାମାଜିକ କର୍ମୀ ସାମିଲ ରହିଛନ୍ତି।‌ ଏହି ଶୃଙ୍ଖଳାରେ ସମ୍ବଲପୁର ଓ ରାୟପୁର ଉଭୟ ସ୍ଥାନରେ କିଛି ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ଓ ଆଗାମୀ ଦିନରେ ଆଉ ଅନେକ ବୈଠକ ହେବାକୁ ଯାଉଛି। ଇତିମଧ୍ୟରେ ସମ୍ବଲପୁରରୁ ଏକ ପ୍ରତିନିଧି ମଣ୍ଡଳୀ ରାୟପୁରରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତକାରରେ ଏବିଷୟରେ ଆଲୋଚନା ଓ ଏଥିପାଇଁ ତାଙ୍କ ସହଯୋଗ ଅନୁରୋଧ କରିଆସିଛି । ଏହିକ୍ରମରେ ବିଗତ ଦିନ ସମ୍ବଲପୁରରେ ଅନୁଷ୍ଠିତ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକରେ ଏହି ସଙ୍ଗଠନକୁ କିପରି ସୁଦୃଢ କରାଯିବ ଓ କିଭଳି କାର୍ଯ୍ୟକ୍ରମମାନ ହାତକୁ ନିଆଯାଇପାରିବ, ସେ ସବୁ ବିଷୟରେ ବିସ୍ମୃତ ଚର୍ଚ୍ଚା ହୋଇଥିଲା । ସଂସ୍କୃତି ଗବେଷକ ସପନ ମିଶ୍ରଙ୍କ ସଫଳ ସଞ୍ଜୋଜନା ଓ ବରିଷ୍ଠ ଶିକ୍ଷାବିତ ଶିବନାରାୟଣ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଇଞ୍ଜିନିୟର ସୁଶାନ୍ତ ଗୁରୁ, ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ, ସାମ୍ବାଦିକ ଶିବ ପ୍ରସାଦ ମେହେର, ପୂର୍ବତନ ବିତ୍ତ ଅଧିକାରୀ ଶ୍ରୀମତୀ ପାର୍ବତୀ ସେଠ, ପୂର୍ବତନ ପ୍ରଶାସକ ଜୀତେନ୍ଦ୍ରୀୟ ସେଠ ଓ ସାଧକ ଶ୍ରୀ ସଦାନନ୍ଦ ପଣ୍ଡା ଆଦି ସାମିଲ ରହିଥିଲେ। ଏହି ବୈଠକରେ ମୁଖ୍ୟ ରୂପେ ସଂଗଠନର ପଞ୍ଜୀକରଣକୁ ତ୍ବରାନ୍ବିତ କରିବା ପାଇଁ ଅତି ଆବଶ୍ୟକ ପଦକ୍ଷେପକୁ ଗୁରୁତ୍ବ ଦେବାକୁ କାର୍ଯ୍ୟକ୍ରମ ଗ୍ରହଣ ପାଇଁ ଖସଡ଼ା ପ୍ରସ୍ତୁତ କରିଯାଇଥିଲା

Comments (0)
Add Comment