ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ବୁକେସିଙ୍ଗା ଗ୍ରାମରେ ନୂଆଁ ବର୍ଷ ଦିନରେ ଏକ ଅଘଟଣ ଦେଖାଯାଇଛି । ଜଣେ ମହିଳାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ଗୁରୁତର ଭାବେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ସୂଚନା ମତେ ବୁକେସିଙ୍ଗା ଗ୍ରାମର ଜମ୍ଭବତୀ ବେହେରା ତାଙ୍କ ଦିଅରଙ୍କ ପରିବାର ସହ ପୂର୍ବରୁ କୌଣସି ଶତ୍ରୁତା ଲାଗିରହିଥିଲା । ଏହାକୁ ନେଇ ଜମ୍ଭବତୀ ପୂର୍ବରୁ ହରଭଙ୍ଗା ଥାନା ରେ ତାଙ୍କ ଦିଅରଙ୍କ ପରିବାର ନାମରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଘଟଣାକୁ ନେଇ କିଛିଦିନ ତଳେ ଉଭୟ ପରିବାରଙ୍କୁ ଡକାଇ ସମାଧାନ ବାଟ ଫିଟାଇ ଥିବାବେଳେ ପୁନର୍ବାର ରବିବାର ଦିନ ସନ୍ଧ୍ୟାରେ ଜମ୍ଭବତୀ ଘରେ ଏକାଥିବା ଜାଣି ତାଙ୍କ ଦିଅରମାନେ ହଠାତ ଆସି ଜମ୍ଭବତୀ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ଦୁଇଗୋଡ଼, ହାତ ଉପରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି । ତୁରନ୍ତ ଜମ୍ଭବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହରଭଙ୍ଗା ମେଡିକାଲକୁ ଆଣିଥିଲେ, କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୌଦ୍ଧ ମେଡିକାଲ ପଠାଇ ଦିଆଯାଇଥିବା ଜଣାପଡିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।