ବହିରା ସଙ୍ଗରୋଧ ଶିବିର : ଭିଡିଓ ଭାଇରାଲ ପରେ ଫିଟୁଛି ଅବ୍ୟବସ୍ଥାର ଗୁମର

ବୌଦ୍ଧ :- ସମସ୍ତ ଗ୍ରାମପଞ୍ଚାୟତରେ ଅସ୍ଥାୟୀ ସଙ୍ଗରୋଧ ଶିବିରମାନ ଖୋଲାଯାଇ ସବୁ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ଡିଣ୍ଡିମ ପିଟୁଥିଲେ ମଧ୍ୟ ବାସ୍ତବରେ ସତ କେତେ ରହୁଥିବା ଲୋକ ଠିକ୍ ଜାଣନ୍ତି । ବୌଦ୍ଧବ୍ଲକ ବହିରା ପଞ୍ଚାୟତ ହାଇସ୍କୁଲ ପରିସରରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ଅନ୍ତେବାସୀଙ୍କ ଭିଡିଓ ଆଜି ଭାଇରାଲ ହେବାପରେ ଅସଲ ସତ୍ୟ ପଦାକୁ ଆସିଛି । ବହିରା ସଙ୍ଗରୋଧ ଶିବିରର ଅବ୍ୟବସ୍ଥା ସଂପର୍କରେ ଭିଡିଓ ଭାଇରାଲ କରିଥିବା ଯୁବକଙ୍କ କଥା ଯଦି ସତ୍ୟ ହୁଏ ତାହାହେଲେ କରୋନା ମୁକାବିଲାରେ ମଧ୍ୟ ଦୁର୍ନୀତି ହୋଇଛି ତାହା ପ୍ରମାଣିତ ହୋଇଯିବ ।


ବହିରା ହାଇସ୍କୁଲରେ ଖୋଲିଥିବା ସଙ୍ଗରୋଧ ଶିବିରରେ କରେଣ୍ଟ ଥିଲେ ମଧ୍ୟ ପଙ୍ଖା କି ଲାଇଟ ଚାଲୁୁନଥିବା, ପାଣି ଫିଲଟର ଲାଗିଥିଲେ ବି ପାଣି ବାହାରୁନଥିବା, ହାତଧୋଇବା ଟ୍ୟାବରେ ପାଣି ଆସୁନଥିବା, ଗାଧୋଇବା ପାଇଁ ବାହାରକୁ ଯାଅ ବୋଲି ସରପଞ୍ଚ କହିବା ଆଦି ଘଟଣାର ଭିଡିଓ ଜଣେ ଅନ୍ତେବାସୀ ଭାଇରାଲ କରିଛନ୍ତି । ଖାଦ୍ୟରମାନ ଓ ପରିମାଣ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭିଡିଓ ଭାଇରାଲ ହେବାପରେ ଏବେ ପ୍ରଶାସନ ହରଡଘଣାରେ ପଡିଛି । ସଙ୍ଗରୋଧ ଶିବିରର ଅବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ଭିଡିଓ କରିଥିବା ଅନ୍ତେବାସୀର ମୋବାଇଲ ଛଡାଇ ନେଇ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସୂଚନା ମିଳିଛି । ବର୍ତ୍ତମାନ ବହିରା କେନ୍ଦ୍ରର ମୁଖ୍ୟଗେଟକୁ ତାଲାପକାଇ ପାଖକୁ କାହାକୁ ପୁରାଇ ଦିଆଯାଉନାହିଁ ।
ଗତ ୨୩ ତାରିଖରୁ ଏଭଳି ଚାଲିଥିବାର ଖବର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାକୁ ସେହି ସମୟରେ ପ୍ରତିକାର କରାଯାଇଥିଲେ ପରିସ୍ଥିତି ସୁଧୁରିଯାଇଥାନ୍ତା ମାତ୍ର ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ସେତେ ଗୁରୁତ୍ୱ ଦେଇନଥିଲା । ଏବେ ମଧ୍ୟ ଭିଡିଓ ଭାଇରାଲ ହେବାପରେ ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ପ୍ରତିକ୍ରିୟାଶୀଳ ହେବା ଶୁଭଙ୍କର ନୁହେଁ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଏ ସଂପର୍କରେ ସରପଞ୍ଚଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Comments (0)
Add Comment