ବଲାଙ୍ଗିର,୧/୯- ବଲାଙ୍ଗିର ପୌରପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପୌରସଂସ୍ଥା ଠାରେ ଜାତୀୟ ପତାକା ଉତ୍ତୋଳନ କରି କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା କରାଯାଇ ଟାଉନହଲ ଠାରେ ସମାପ୍ତ ହୋଇଥିଲା । ପୌରାଧ୍ୟକ୍ଷା ଲିକା ସାହୁଙ୍କ ପୌରହିତ୍ୟରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥିଭାବେ ଓ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଯୋଗଦେଇ ପୌରପରିଷଦ ଓ କର୍ମକର୍ତ୍ତାମାନଙ୍କୁ ତାଙ୍କର ଦାୟିତ୍ୱବୋଧ ବିଷୟରେ ଉଦବୋଧନ ଦେଇ ବଲାଙ୍ଗିରକୁ ସ୍ୱଚ୍ଛ, ନିର୍ମଳ, ଉନ୍ନତ ଓ ବିକାଶୀଳ ସହର ପାଇଁ ଜନସାଧାରଣଙ୍କ ସମର୍ଥନ ଓ ସହଯୋଗ ଏକାନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ସଭାରେ ବଲାଙ୍ଗିର ପୌରପରିଷଦର ସମସ୍ତ କାଉନସିଲର ସଭ୍ୟସଭ୍ୟା ଉପସ୍ଥିତ ଥିବାବେଳେ ୭ ଜଣ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମାରୋହରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ଠାରୁ ଆରମ୍ଭକରି ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସଭାରେ ବଲାଙ୍ଗିର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ ରେଡ୍ଡି ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପୌର ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ । ମଞ୍ଚ ପରିଚାଳନା କରିଥିଲେ ବିଜୟ ତ୍ରିପାଠୀ । ପୌରାଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର ବଲାଙ୍ଗିର ସ୍ଥିତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।