ବଲାଙ୍ଗୀର,୪/୫- ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଜିଲ୍ଲା ଧାନକ୍ରୟ କମିଟି ଆନ୍ଲାଇନ୍ ବୈଠକରେ ଆସନ୍ତା ୧୭ମେରୁ ପଞ୍ଜିକୃତ ଚାଷୀଙ୍କ ଠାରୁ ରବିଧାନ କିଣା ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ରବି ପାଇଁ ପଞ୍ଜିକରଣ କରିଛନ୍ତି ୪୦୫୩ଜଣ ଚାଷୀ । ରବିବାର ବାଦ ଅନ୍ୟ ସମସ୍ତ ଦିନ ସକାଳ ୭ରୁ ଅପରାହ୍ନ ୧ଟା ସମୟରେ ୯୩ କୃଷି ସେବା ସମବାୟ ସମିତି (ପେକ୍ସ) ଓ ୬ଟି ମହିଳା ସ୍ୱୟଂ ସହାୟକ ଦଳ ଦ୍ୱାରା ନିର୍ଦ୍ଧାରିତ କେନ୍ଦ୍ର ଠାରେ କୋଭିଡ ନିର୍ଦ୍ଦେଶ ପାଳନ ପୂର୍ବକ ମଣ୍ଡି ଚାଲିବ । ଧାନର ମାନ ନିର୍ଦ୍ଧାରଣ ପାଇଁ ଆବଶ୍ୟକ ଯନ୍ତ୍ରପାତି , କ୍ୱାଲେଟି ଏନାଲେଟିଷ୍ଟ ନିୟୋଜିତ, ଚାଷୀଙ୍କ ସୂଚନା ପ୍ରଚାର ବ୍ୟବସ୍ଥା ପାଇଁ ଆରଏମସି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ଏଫଏକ୍ୟୁ ଓ ଏ ଗ୍ରେଡ ଏଫଏକ୍ୟୁ ଯଥାକ୍ରମେ କୁଇଣ୍ଟାଲ ପ୍ରତି ୧୮୬୮ ଓ ୧୮୮୮ଟଙ୍କା ସରକାର ଦର ଧାର୍ଯ୍ୟ କରିଛନ୍ତି । ମଣ୍ଡିରେ ସିସି କ୍ୟାମେରା ଓ ରେକର୍ଡପତ୍ର ଉପଜିଲ୍ଲାପାଳ ଓ ମିଶନଶକ୍ତି ସଂଯୋଜକ ବୁଲି ତଦାରଖ କରିବାକୁ ଶ୍ରୀଯୁକ୍ତ ରାଣା ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ମହିଳା ଓ ଶିଶୁ, ମିଶନଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବଲାଙ୍ଗୀର ବିଧାୟକ ପ୍ରତିନିଧି କୈଳାସ ମିଶ୍ର ଓ ଚାଷୀ ପ୍ରତିନିଧି ଜତି ପଧାନ ବୈଠକରେ ଅଂଶଗ୍ରହଣ କରିଥିଲେ ।