ବଲାଙ୍ଗୀର,୧୭/୬- ମହିଳା ଶିଶୁ କଲ୍ୟାଣ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷୁରା ଅଞ୍ଚଳ ଗସ୍ତବେଳେ ୟୁଥ ଏକସନ କମିଟି ସଂଗଠନର ସଦସ୍ୟମାନେ କଳା ପତାକା ପ୍ରଦର୍ଶନ କରିବା ସହ ଗୋ ବେକ ନାରାବାଜି କରିଛନ୍ତି । କଳା ପତାକା ଓ ସ୍ଳୋଗାନ ବାଜି କରିଥିବା କିଛି ଯୁବକଙ୍କୁ ପୋଲିସ୍ ଅଟକ ରଖିଛି । କିଛି ଦିନ ତଳେ ତୁଷୁରା ସ୍ଥିତ ପିଏଚସି ଅପଗ୍ରେଡେସନ, ଡାକ୍ତର ଓ ଅନ୍ୟାନ୍ୟ ଖାଲିପଦ ପୂରଣ ସହ ଭିତ୍ତିଭୂମି ଉନ୍ନତି ଆଦି ଦାବିରେ ୟାକ୍ଟ ନେତୃତ୍ୱରେ ଶତାଧିକ ଯୁବକ ତୁଷୁରା ଠାରୁ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଯାଏ ପଦଯାତ୍ରା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଦାବୀପତ୍ର ଦେଇଥିଲେ । ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ସଂଗଠନ ୟାକ୍ଟ ପଦଯାତ୍ରାରେ ସାମିଲ ହୋଇ ସମର୍ଥନ କରିଥିଲେ ।
ଇତିମଧ୍ୟରେ ଜଣେ ଡାକ୍ତର ତୁଷୁରା ଡାକ୍ତରଖାନାରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । କିନ୍ତୁ ପ୍ରଦର୍ଶନକାରୀଙ୍କ ଅନୁସାରେ ଏନଏସି ଘୋଷଣା ହେବାର ୭ବର୍ଷ ଗଡିଥିଲେ ସୁଦ୍ଧା ପିଏଚସିକୁ ସିଏଚସି ମାନ୍ୟତା ଦିଆଯାଇନାହିଁ । ଯାହା ସେମାନଙ୍କ ମୁଖ୍ୟ ଦାବୀ । ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି କୌଣସି ରାଜନୈତିକ ନେତୃବୃନ୍ଦଙ୍କୁ ତୁଷୁରା ଆସିବାକୁ ଦେବୁ ନାହିଁ । ବିରୋଧ ପ୍ରଦର୍ଶନ କରାଯିବ । ବିଧାୟକ ନିର୍ବାଚିତ ହେବା ପରଠାରୁ ଆଜିଯାଏ ବିଶେଷତଃ ନିଜ ନିର୍ବାଚନ ମଣ୍ଡଳୀରେ କେବେ ମନ୍ତ୍ରୀ ଟୁକୁନି ଏ ଭଳି ବିରୋଧର ସମ୍ମୁଖିନ ହୋଇ ନଥିଲେ । ଅଞ୍ଚଳରେ ରାଜନୈତିକ ହଲଚଲ ବଢିଛି । ମନ୍ତ୍ରୀଙ୍କ ପଦକ୍ଷେପକୁ ସମସ୍ତଙ୍କ ରହିଛି ନଜର ।