ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଛି ତଦନ୍ତ ଦାବୀ କଲେ ମୃତକଙ୍କ ପରିବାରବର୍ଗ

ବଲାଙ୍ଗୀର,୧୪/୯ – ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଛି । ହତ୍ୟାରେ ପତ୍ନୀ ଓ ତାଙ୍କ ପରିବାର ସଂପୃକ୍ତଥିବା ଅଭିଯୋଗ କରି ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ମୃତକ ରାଜେନ୍ଦ୍ର କଲେଜ ଜୁନିଅର ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ପରିବାର ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଠାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୩୧ତାରିଖ ଦିନ ସ୍ଥାନୀୟ ଆଲୋକନଗରରେ ରହୁଥିବା ଭଡାଘରୁ ଓଡିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ନିଜ ସ୍ତ୍ରୀ ଓ ଦେଢବର୍ଷର ପୁତ୍ରଙ୍କ ସହିତ ରହୁଥିବା ପ୍ରକାଶଙ୍କ ମୃତ୍ୟୁଖବର ପାଇ ବୌଦ୍ଧଜିଲ୍ଲା ମର୍ଜାକୁଦରେ ରହୁଥିବା ମୃତକଙ୍କ ବଡଭାଇ ଓ ପରିବାର ସଦସ୍ୟ ୩୧ ତାରିଖଦିନ ବଲାଙ୍ଗୀରରେ ପହଞ୍ଚିଥିଲେ । ସେଠାରେ ପରିବାର ସଦସ୍ୟମାନେ ମୃତକ ପ୍ରକାଶଙ୍କ ଉଭୟ ହାତ ଓ ଗୋଡରେ କଟାଚିହ୍ନ ଥିବାସହ ରକ୍ତ ବାହାରୁଥିବା ଦେଖିଥିଲେ । ବେକରେ ଦଉଡି ଲାଗିଥିଲେ ମଧ୍ୟ ସେଆଣ୍ଠେଇ ହୋଇ ରହିଥିବା ଦେଖିଥିଲେ । ପାରିପାର୍ଶ୍ଵିକ ପରିସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ନୁହେଁ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ପୁଲିସକୁ ବୟାନ ଦେଇଥିଲେ । ଆଜି ମୃତକଙ୍କ ବଡଭାଇ ସରୋଜ କୁମାର ସାହୁ ବଲାଙ୍ଗୀର ଏସପିଙ୍କ ୁଭେଟି ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ପୂର୍ବରୁ ତାଙ୍କ ମା ଓ ପୁଅ ଭାଇ ପ୍ରକାଶ ଓ ଭାଇବୋହୁଙ୍କ ପାଖରେ ରହୁଥିଲେ । କିନ୍ତୁ ଭାଇବୋହୁ ତାଙ୍କ ବାପାମାଙ୍କ ପରାମର୍ଶରେ ଉଭୟଙ୍କୁ ମାରପିଟ୍‌ କରି ଘରୁ ତଡି ଦେଇଥିଲେ । ଏହି ଘଟଣାକୁ ନେଇ ଉଭୟ ଭାଇ ଓ ଭାଇବୋହୁଙ୍କ ମଧ୍ୟରେ ଗଣ୍ଡଗୋଳ ମନୋମାଳିନ୍ୟ ରହୁଥିଲା । ଏପରିକି ନୂଆଖାଇ ଭଳି ପର୍ବରେ ମଧ୍ୟ ଯୋଗଦେବାକୁ ଦେଇନ ଥିଲେ ମୃତକଙ୍କ ସ୍ତ୍ରୀ । ଏହି କଥାକୁ ନେଇ ଗତ କିଛିଦିନ ହେଲା ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା । ମୋ ଭାଇବୋହୁ ମୋ ଭାଇକୁ ଗୁଣ୍ଡାଲଗାଇ ମାରିଦେବି ବୋଲି ଧମକ ଦେଇଥିବା ମୃତ୍ୟୁର କିଛିଦିନ ପୂର୍ବରୁ ପ୍ରକାଶ ଘରଲୋକଙ୍କୁ ଜଣାଇଥିଲା । ନିଜ ପରିବାର ଲୋକଙ୍କ ପରାମର୍ଶରେ ପରିଚାଳିତ ଅଧ୍ୟାପକଙ୍କ ସ୍ତ୍ରୀ ଓ ପରିବାର ଷଡ଼ଯନ୍ତ କରି ହତ୍ୟା ଓ ହତ୍ୟାକୁ ଚପାଇବା ପାଇଁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା ଚଳାଇଥିବା ମୃତକଙ୍କ ବଡଭାଇ ଅଭିଯୋଗ କରିଛନ୍ତି । ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ପକ୍ଷରୁ ଦାବି ହୋଇଛି । ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚାଲିଛି, ସତ ସାମନାକୁ ଆସିବ ବୋଲି ପୋଲିସ ତରଫରୁ କୁହାଯାଉଛି । ଦେଖାଯାଉ, ପୋଲିସ କେବେ ଖୋଲୁଛି ଗୁମର । ପରିବାର ଲୋକଙ୍କ ସଙ୍ଗୀନ ଅଭିଯୋଗ ପରେ ପୋଲିସ ତତ୍ପରତା ପ୍ରକାଶ କରି ଶୀଘ୍ର ରହସ୍ୟ ଉନ୍ମୋଚିତ କରୁ ବୋଲି ଜନ ସାଧାରଣରେ ମତପ୍ରକାଶ ପାଉଛି । ଅନ୍ୟପକ୍ଷରେ ଏନେଇ ମୃତକଙ୍କ ପତ୍ନୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments (0)
Add Comment