କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କୁ ପ୍ରତାରଣା ବିରୋଧରେ ଓଡିଶା ସରକାର ବିରୋଧରେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର,୧୬ / ୮- ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୩ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରିତ କରୁଥିବା ପ୍ରତିବାଦରେ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବଲାଙ୍ଗୀର ସର୍କଲସ୍ତରୀୟ ସଂଘର କର୍ମକର୍ତ୍ତା ସଭାରେ ନିଷ୍ପତ୍ତି ନେଇଛନ୍ତି । ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ ଶ୍ରୀ କୋକିଲ ସାହୁଙ୍କ ସଭାପତିତ୍ୱରେ ବଲାଙ୍ଗୀର ଯାଦବ ଭବନ ଠାରେ ପଦ୍ମପୁର, ଖରିଆର, ଟିଟିଲାଗଡ, ପାଟଣାଗଡ, ବଲାଙ୍ଗୀର, କଳାହାଣ୍ଡି କେନ୍ଦୁପତ୍ର ଡିଭିଜନର ଶତାଧିକ ସଂଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କେନ୍ଦୁପତ୍ର ଶ୍ରମିକ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଖରିଆରରୁ ଶ୍ରୀ ଯଦୁମଣି ପାଣିଗ୍ରାହୀ, ପାଟଣାଗଡରୁ ଶ୍ରୀ ଶିବାନନ୍ଦ ପରିଛା, କଳାହାଣ୍ଡିରୁ ଶ୍ରୀ ଚିରାଗ ସିଂ ଦେଓ, ଟିଟିଲାଗଡରୁ ଶ୍ରୀ ଛବିଳ ସିଂ ଚିନ୍ଦା, ଶ୍ରୀ ଚିତ୍ରସେନ ବଗର୍ତ୍ତିର୍ି ଆଦି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ୨୦୧୩ ମସିହାରେ ରେଢାଖୋଲ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ “ଚାକିରୀ ସର୍ତ୍ତାବଳୀ’ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯାଇ ନଥିବାରୁ ଓଡ଼ିଶା ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସଭାରେ ଘୋର ନିନ୍ଦା କରାଯାଇଥିଲା । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମଧ୍ୟରେ ଶ୍ରମିକ ମଙ୍ଗଳ ପାଣ୍ଠିରୁ ପୂର୍ବପରି କେନ୍ଦୁପତ୍ର ତୋଳାଳୀ ପରିବାରର ପୁଅ୵ ଝିଅ ମାନଙ୍କୁ ଛାତ୍ର ବୃତ୍ତି ଓ ବିବାହ ସହାୟତା ଯୋଗାଇ ଦେବା, ଛତିଶଗଡ ରାଜ୍ୟ ପରି କେନ୍ଦୁପତ୍ର ସଂସ୍ଥାରୁ ହେଉଥିବା ଆୟର ୧୦୦ ଭାଗ ବୋନସ ତୋଳାଳୀ ଓ ଶ୍ରମିକ ମାନଙ୍କୁ ଯୋଗାଇ ଦେବା, କେନ୍ଦୁପତ୍ର ସଂସ୍ଥାକୁ ବିଭିନ୍ନ ଡିଭିଜନରେ ଚାଲିଥିବା ଘରୋଇ କରଣକୁ ସଂପୂର୍ଣ୍ଣ ବନ୍ଦ କରିବା, ସର୍କଲ ସ୍ତରରେ ଖାଲିଥିବା ହେଡ ଚେକର, ସର୍କଲ ଚେକର ପଦବୀ ପୂରଣ କରିବା, ହେଡ ଚେକର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଦି ପ୍ରସ୍ତାବ ପାରିତ ହୋଇଛି । ଏହି ଦାବୀକୁ ନେଇ ଓଡ଼ିଶା ସରକାର ଓଡ଼ିଶାର ୧୩ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କୁ କରୁଥିବା ପ୍ରତାରଣା ବିରୋଧରେ ଦୁର୍ବାର ଆନ୍ଦୋଳନ ପାଇଁ ସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ କରାଯାଇଛି । ସଭାପରେ ବଲାଙ୍ଗୀର ସର୍କଲର ବିଭିନ୍ନ ସମସ୍ୟାକୁ ବଲାଙ୍ଗୀର କେନ୍ଦୁପତ୍ର ସିସିଏଫ ଶ୍ରୀ ପ୍ରଦୀପ କୁମାର ମହାପାତ୍ରଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଥିଲେ ।

Comments (0)
Add Comment