ଶୁନଶାନ୍‌ ସହର,ଜୟ କୋସଲ ନାରାରେ ଉଠୁଛି ପଡୁଛି ସହର

ବଲାଙ୍ଗୀର,୧୮/୧୧:- ବଲାଙ୍ଗୀର ଜିଲ୍ଲାରେ ଗାଁ ଠାରୁ ସହର ସବୁଠାରେ ଶୂନଶାନ । କେବଳ ସଂଗ୍ରାମୀଙ୍କ ଜୟ କୋସଲ ଗର୍ଜନରେ ଉଠୁଛି ପଡୁଛି ରାଜରାସ୍ତା । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେବଳ ବାଦ୍‌ ଦିଆଯାଇଥିବା ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ସମସ୍ତ ଦୋକାନ, ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଥିଲା । ବଲାଙ୍ଗୀର ସହର ସମେତ ପାଟଣାଗଡ, କଂଟାବାଞ୍ଜିି, ଟିଟିଲାଗଡ, ସଇଁତଳା, ତୁଷୁରା, ଲୋଇସିଂହା, ଆଗଲପୁର ଏପରିକି ବଡ ବଡ ଗାଁଗଣ୍ଡାରେ ବନ୍ଦର ଜବରଦସ୍ତ ପ୍ରଭାବ ରହିଥିବା ଜଣାଯାଇଛି । ପଶ୍ଚିମ ଓଡିଶାକୁ ଅବହେଳା ହେତୁ ସ୍ୱତନ୍ତ୍ର କୋସଲ ରାଜ୍ୟ ଆବଶ୍ୟକ ବୋଲି ବିଶେଷକରି ଯୁବ ସମାଜ ଅନୁଭବ କରିଥିବା ଜଣାଯାଏ । ପୂର୍ବ ଅପେକ୍ଷା ଜନ ସମର୍ଥନ ବହୁଗୁଣରେ ବଢିଥିବା ବୁଦ୍ଧିଜୀବୀଙ୍କ ମତ ବନ୍ଦ ପରିପ୍ରେକ୍ଷୀରେ ନଜରକୁ ଆସିଛି । ଏ ଅବସରରେ ବିଶିଷ୍ଟ କୋସଲବାଦୀ ନେତା ତଥା ଆଇନଜୀବୀ ପ୍ରମୋଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ବିଭିନ୍ନ ସାମାଜିକ ସାଂସ୍କୃତିକ ଜାତି ଇତ୍ୟାଦି ସଂଗଠନର ନେତୃବୃନ୍ଦ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଦଳମତରୁ ଉର୍ଦ୍ଧ୍ୱକୁ ଉଠି ବିଧାୟକ ନରସିଂହ ମିଶ୍ର, ଡ. ମୁକେଶ ମହାଲିଙ୍ଗ, ନାଉରି ନାୟକ, ବରଗଡ ସାଂସଦ ଓ ଅନ୍ୟାନ୍ୟ ନେତୃବର୍ଗ ପରୋକ୍ଷ ଓ ପ୍ରତ୍ୟକ୍ଷ ସମର୍ଥନ କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କିପରି ଏ ଅଞ୍ଚଳ ଅବହେଳିତ ଓ ପକ୍ଷପାତିତାର ଶିକାର ହେଉଛି ମତ ରଖିଥିଲେ । ରାଜନୈତିକ ଚାଷୀଙ୍କୁ ବର୍ଜନ ଓ ଆନ୍ଦୋଳଳନକୁ ଯୁବ ନେତୃତ୍ୱର ଆହ୍ୱାନ ଦେଇଥିଲେ । ଏ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି, ମାଟିର କଥା କହୁଥିବା ଲୋକଙ୍କୁ ବାରମ୍ବାର ଅପମାନିତ କରାଯାଉଛି । ପଦ୍ମଶ୍ରୀ ହଳଧର ନାଗ ଠାରୁ ରାଧାରାଣୀ ପଣ୍ଡା ଓ ସଦ୍ୟତମ ମନୋଜ ମିଶ୍ର ଉଦାହରଣ । ଏ ସମସ୍ତର ଏକମାତ୍ର ସମାଧାନ ସ୍ୱତନ୍ତ୍ର କୋସଲ ରାଜ୍ୟ ଏବଂ ଆରପାର ଲଢେଇ ବୋଲି ଚେତାବନୀ ଦେଇଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା । ତେବେ ବନ୍ଦ ପାଳନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ।

Comments (0)
Add Comment