ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଜମି ପ୍ରସଙ୍ଗରେ ପୁରାତନ ଛାତ୍ରନେତାଙ୍କ ଜିଲ୍ଲାପାଳଙ୍କ ସହ ଆଲୋଚନା

ବଲାଙ୍ଗୀର,୧୨/୮- ବହୁ ବାଦ ବିବାଦ ପରେ ୟୁଜିସି ମାନ୍ୟତା ମିଳିଥିଲେ ସୁଦ୍ଧା ଜମି ଶୂନ୍ୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପୁରାତନ ଛାତ୍ରନେତାମାନେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ କୁଳପତିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସମାଜସେବୀ କଂଗ୍ରେସ ନେତା ଅସୀମ ପଟ୍ଟନାୟକ ପଶ୍ଚିମାଞ୍ଚଳର ସର୍ବ ପୁରାତନ ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ଘୋଷଣାର ବର୍ଷେ ପରେ ୟୁଜିସି ମାନ୍ୟତା ମିଳିବା ଆଶ୍ୱସ୍ତିର ବିଷୟ । କିନ୍ତୁ ୭୭ବର୍ଷର ଶିକ୍ଷାନୁଷ୍ଠାନ ଜମିହୀନ ଏବଂ ଜମି ଓ ଅନ୍ୟାନ୍ୟ ସର୍ତ୍ତାବଳୀ ପୂରଣ ବିନା ଅନୁଦାନ ମିଳିବା ସମ୍ଭାବନା ନାହିଁ । ଏଣୁ ୟୁଜିସି ମାନ୍ୟତା ଆଶ୍ୱସ୍ତି ଦେଇଛି ଖୁସି ନୁହେଁ ବୋଲି କହିଥିଲେ । ଏକ ପୂର୍ଣ୍ଣାଙ୍ଗ ବିଶ୍ୱ ବିଦ୍ୟାଳୟ ଓ ଭବିଷ୍ୟତକୁ ବିଚାରକଲେ ପ୍ରାୟ ୧୫୦/୨୦୦ ଏକର ଜମିର ଆବଶ୍ୟକତା ଅଛି ।

ମାଲିକାନା ସତ୍ୱ ନଥିଲେ ମଧ୍ୟ ଦଖଲରେ ଥିବା ୫୦/୬୦ଏକର ଜମି ଅଛି । ସେଗୁଡିକ ଶୀଘ୍ର ହସ୍ତାନ୍ତର, ଜବର ଦଖଲ ଉଚ୍ଛେଦ ଓ ଆବଶ୍ୟକ ଜମି ଯୋଗାଣରେ ବିଭିନ୍ନ ସମସ୍ୟା ବିଷୟରେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଆଲୋଚନା କରିଥିବା ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀଣ କୁମାର ମିଶ୍ର, ପୂର୍ବତନ ନାଗରିକ କମିଟି ସଭାପତି ଆଇନଜୀବୀ ଭବାନୀ ଶତପଥୀ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ପ୍ରକାଶ କରିଥିଲେ । ବୁଦ୍ଧିଜୀବୀଙ୍କ ସହ ବିଭିନ୍ନ ଦିଗ ଉପରେ ସକାରାତ୍ମକ ଆଲୋଚନା ହୋଇଥିଲା । ଏଡିଏମଙ୍କ ତତ୍ୱାବଧାନରେ ଗଠିତ ଏକ କମିଟି କାର୍ଯ୍ୟ କରୁଛି । ପର୍ଯ୍ୟାୟକ୍ରମେ ଶୀଘ୍ର ଜମି ହସ୍ତାନ୍ତର କରାଯିବ । ଗୋଟେ କିମ୍ବା ୨ୟ କ୍ୟାମ୍ପସରେ ଆବଶ୍ୟକ ପରିମାଣ ଜମି ଯୋଗାଇବା ବିଚାରଧୀନ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ କଲେଜ୍‌ ପ୍ରତିଷ୍ଠା ସମୟରେ ପାଟଣାରାଜା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ପାଖାପାଖି ଅଢେଇ ଶହ ଏକର ଜମି କଲେଜକୁ ଦେଇଥିବା ସତ ନା ମିଛ ? ଯଦି ଦେଇଥିଲେ ବାକି ଗଲା କୁଆଡେ ? କାହିଁକି କେଉଁ ପରିସ୍ଥିତିରେ ଏ ସରକାରୀ ଜମି କାହା ଦ୍ୱାରା ଲୁଟ ହୋଇଛି ତଦନ୍ତ ହେବ କି ? ହଡପ ହୋଇଥିବା ଜମି ଫେରାଇ ନ ଆଣି ୨ୟ କ୍ୟାମ୍ପସ୍‌ ଚିନ୍ତା କରାଯାଉଛି କାହିଁକି ? ସୂର୍ଯ୍ୟ ନଗର ସମେତ ବିଭିନ୍ନ ସ୍ଥାନ ଉଚ୍ଛେଦ ବେଳର ଆଭିମୁଖ୍ୟ ଏବେ ନରମ ବୋଲି ଘାଟ ବାଟ ଚା ଖଟିରେ ଆଲୋଚନା ହେଉଛି । ବିଶ୍ୱ ବିଦ୍ୟାଳୟ ଜମି ଅଡୁଆ କେବେ କିପରି ତୁଟୁଛି ସମୟ କହିବ ।

Comments (0)
Add Comment