ବାଲିଗୁଡା: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜଗତର ନାଥ ଜଗନ୍ନାଥଙ୍କ ନବ ଦିନାତ୍ମକ ଯାତ୍ରା । ବଡ଼ ଭାଇ ବଳଭଦ୍ର ଓ ଭଉଣି ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ବାହାରିଛନ୍ତି ମାଉସୀ ମା’ଙ୍କ ଘରକୁ । ବଡ଼ ଦେଉଳରୁ ବାହାରକୁ ବାହାରି ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ମଧ୍ୟ ବହୁ ଆଡ଼ମ୍ବରରେ ପାଳନ ହୋଇଛି ଜଗତର ନାଥ ଜଗନ୍ନାଥଙ୍କ ଘୋଷ ଯାତ୍ରା । ସକାଳୁ ଯଥା ନିତି ତିନି ଅନୁସାରେ ମହାପ୍ରଭୁଙ୍କ ନିତି ସମାପନ ପରେ ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧା ମୂରତୀ । ପରେ ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ ତିନି ରଥରେ ପହଁଚି ଚତୁର୍ଦ୍ଧା ମୂର୍ତ୍ତୀଙ୍କ ପୂଜାର୍ଚ୍ଚନା କରି ଛେରା ପହଁରା କରିଥିଲେ । ଏହାପରେ ମାଉସୀ ମା’ଙ୍କ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ମହାବାହୁ । ରଥରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଅଞ୍ଚଳର ହଜାର ହଜାର ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।