ବାଲିଗୁଡ଼ାରେ ଜଳ କଷ୍ଟ : ତିନି ଦିନ ହେଲା ସହରରେ ବନ୍ଦ ରହିଛି ଜଳ ଯୋଗାଣ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି । ସହର ପାଇଁ ଏ ସମସ୍ୟା ନୁଆ ନୁହେଁ । ଖରା, ବର୍ଷା, ଶୀତ ସବୁ ବେଳେ ସମାନ ପରିସ୍ଥିତି । ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ କର୍ମଚାରୀ ମାନଙ୍କୁ ସମସ୍ୟା ବାବଦରେ ପଚାରିଲେ କିଛି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ । କେତେବେଳେ ମୋଟର ପୋଡ଼ିଯାଇଛି ତ ଆଉ କେତେବେଳେ ଟାଙ୍କିରେ ପାଣି ନାହିଁ ବୋଲି ଉତ୍ତର ମିଳୁଥିବା କହୁଛନ୍ତି ଅଞ୍ଚଳବାସୀ । ସରକାର ଗାଁଠୁ ସହର ସବୁ ଅଞ୍ଚଳବାସୀଙ୍କୁ ଘରକୁ ଘର ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ବାବୁ ମାନଙ୍କ ମନମାନି କାର୍ଯ୍ୟକଳାପ ଏବଂ ଇଚ୍ଛାଶକ୍ତି ଅଭାବରୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହୁଛନ୍ତି ଜନସାଧାରଣ । ଏଭଳି ପରିସ୍ଥିତିରେ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବ କିଏ..? ଆଜକୁ ତିନି ଦିନ ବିତିଲାଣି ସହରରେ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଟୋପେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ନିୟମିତ ଜଳଯୋଗାଣ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି ।

Comments (0)
Add Comment