ନାହିଁ ନାହିଁର ଗାଁ ସିଂଜାକୁଟୀ ଦୀର୍ଘବର୍ଷ ଧରି ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ୨୩ ଆଦିବାସୀ ପରିବାର

ଦାରିଙ୍ଗବାଡ଼ି/ବାଲିଗୁଡ଼ା, 27/8: ସହରାଂଚଳରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ବିକାଶ କରିବାପାଇଁ ରାଜ୍ୟ ସରକାର ଜୋରଦାର୍‌ ଉଦ୍ୟମ ଚଳାଇଛନ୍ତି ଓ କାଗଜପତ୍ରରେ ରାଜ୍ୟସରକାର ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିକାଶ କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ।କିନ୍ତୁ କନ୍ଧମାଳ ଜିଲ୍ଲାର ବାସ୍ତବ ଚିତ୍ର ଏହାର ସମ୍ପୁର୍ଣ୍ଣ ଓଲଟା । ଆଜିବି ଏମିତି ଅନେକ ଗାଁ ରହିଛି ଯୋଉଁଠି ବିକାଶ ଅପହଁଚ ହୋଇ ରହିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ସରାମୂଳୀ ପଂଚାୟତର ଦୁର୍ଗମ ସିଂଜାକୁଟୀ ଗାଁ ରେ ଏବେବି ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଚତୁପାଶ୍ୱର୍ରେ ରହିଛି ବିସ୍ତୀର୍ଣ୍ଣ ପାହାଡ଼, ଆଉ ପ୍ରକୃତି କୋଳରେ ରହିଛି ସରାମୂଳୀ ଗ୍ରାମପଂଚାୟତର ୧୨ ନମ୍ବର ଓାର୍ଡରେ ଥିବା ସିଂଜାକୁଟି ଗାଁ । ଦାରିଙ୍ଗବାଡ଼ି ବ୍ଲକ ଠାରୁ ସରାମୂଳି ପଂଚାୟତ ପ୍ରାୟ ୬୦ କିଲୋମିଟର ଦୁର ହୋଇଥିବା ବେଳେ ସେଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି ଏହି ସିଂଜାକୁଟୀ ଗ୍ରାମ । ଦାରିଙ୍ଗବାଡ଼ି ବ୍ଲକ ଠାରୁ ସରାମୂଳୀ ପଂଚାୟତ ଦେଇ ତର୍ଗାବାଲି ଗାଁରେ ପହଂଚିବା ପାହାଡ଼ ପଥର କାଦୁଅ ଭର୍ତି ଖାଲଢିପ ରାସ୍ତା ଡେଇଁ ଗଲାପରେ ପହଂଚିବାକୁ ହୁଏ ସିଂଜାକୁଟୀ ଗ୍ରାମରେ । ଏହି ଗ୍ରାମରେ ବସବାସ କରନ୍ତି ୨୩ ଆଦିବାସୀ ପରିବାର । ଗାଁ କୁ ରାସ୍ତା ନଥିବା ଯୋଗୁଁ ଦୈନନ୍ଦିନ କାର୍ଯ୍ୟରେ ଗ୍ରାମବାସୀ ମାନେ ଯିବାଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । ଗାଁ କୁ ଯିବାକୁ ହେଲେ ପଂଚାୟତର ତର୍ଗାବାଲି ଠାରୁ ଗାଁକୁ ଥିବା ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ଖାଲ ଖମା,ପଥୁରିଆ ରାସ୍ତା ଅତିକ୍ରମ ଯିବାକୁ ପଡେ । ୧୦୨/୧୦୮ ଆମ୍ବୁଲାନ୍ସ ଗ୍ରାମକୁ ରାସ୍ତାନଥିବା କାରଣରୁ ନ ଆସିବାରୁ ଜରୁରୀକାଳିନ ପରିସ୍ଥିତରେ ରୋଗୀକୁ ଗୋଟିଏ ମୋଠା କାଠରେ ଭାର କରି କାନ୍ଧରେ ବୋହି ଡାକ୍ତରଖାନା କୁ ଗ୍ରାମବାସୀ ମାନେ ନେଇଥାନ୍ତି । ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ମାର୍ଦ୍ଦିପଙ୍ଗା ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିବାବେଳେ ଗ୍ରାମ ଠାରୁ ଡାକ୍ତରଖାନାର ଦୂରତା ସରାମୂଳୀ ଦେଇ ଗଲେ ପ୍ରାୟ ୧୫କିଲୋମିଟର ଦୂର ହେଉଥିବା ବେଳେ ଅନ୍ୟଏକ ପାହାଡ଼ିଆ ରାସ୍ତାରେ ୩କିଲୋମିଟର କିନ୍ତୁ ରାସ୍ତାନଥିବାରୁ ଜରୁରୀକାଳିନ ପରିସ୍ଥିତିରେ ଗ୍ରାମବାସୀମାନେ ରୋଗୀମାନଙ୍କୁ ସେହି ୩କିଲୋମିଟର ଦୂରତା ଥିବା ପାହାଡ଼ିଆ ରାସ୍ତାରେ ଭାରରେ ବୋହି ଡାକ୍ତରଖାନାକୁ ନେଉଛନ୍ତି । ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ପାଇଁ ନାହିଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଯାହଫଳରେ ଗ୍ରାମବାସୀମାନେ ଝରଣା ଓ ଚୂଆପାଣିକୁ ବ୍ୟବହାର କରୁଛନ୍ତି । ବାରମ୍ବାର ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ଗାଁରେ ଗୋଟିଏ ନଳକୂପ ଖୋଳା ଯାଇଥିଲା ଗାଁରେ, ହେଲେ ସେଥିରୁ ଦୂଷିତ ପାଣି ବାହାରୁଥିବାରୁ ଗ୍ରାମବାସୀ ଏହାକୁ ବ୍ୟବାହର କରିପାରୁନାହାନ୍ତି । ବାଧ୍ୟ ହୋଇ ଝରଣା ପାଣିକୁ ବ୍ୟବହାର କରୁଛନ୍ତି ଏବଂ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗର ଶିକାର ମଧ୍ୟ ହେଉଛନ୍ତି । ଗ୍ରାମବାସୀଙ୍କ ପାଇଁ କେବଳ ରାସ୍ତା ଓ ପାନୀୟ ଜଳର ସମସ୍ୟା ନୁହେଁ । ଗାଁ ରେ ରହୁଥିବା ୨୩ ଆଦିବାସୀ ପରିବାରର ଗର୍ଭବତୀ ମହିଳା ଓ ୫ବର୍ଷରୁ କମ ବୟସର ଶିଶୁମାନଙ୍କ ସ୍ୱାସ୍ଥ୍ୟସେବା ଏବଂ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଦାନପାଇଁ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ଟିଏ ମଧ୍ୟ ନାହିଁ । ଅଙ୍ଗନୱାଡ଼ି କର୍ମୀ ନଥିବା ବେଳେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଗ୍ରାମପାଇଁ ଆଶା କର୍ମୀ ମଧ୍ୟ ଏମାନଙ୍କ କଥା ବୁଝିବା ପାଇଁ ନାହାନ୍ତି । ଅନ୍ୟ ଏକ ଗ୍ରାମର ଆଶାକର୍ମୀ କେବେ କେମିତି ଗ୍ରାମକୁ ଆସିଥାନ୍ତି ବୋଲି ଗ୍ରାମର ମହିଳା ମାନେ ପ୍ରକାଶ କରିଥିବା ବେଳେ ଅଙ୍ଗନୱାଡ଼ି ଶିଶୁ ମାନଙ୍କ ଖାଦ୍ୟ ପାଇଁ ଶିଶୁମାନେ ବଣଜଙ୍ଗଲପାହାଡ଼ ଘେରା ରାସ୍ତା ଦେଇ ଗାଁର କୁନି କୁନି ଛାତ୍ରଛାତ୍ରୀ ଗ୍ରାମଠାରୁ ପ୍ରାୟ ୩କିଲୋମିଟର ଦୂରତାରେ ଥିବା ତର୍ଗାବାଲି ଗ୍ରାମକୁ ଜଙ୍ଗଲ ରାସ୍ଥା ଦେଇ ବିପଦ ସଙ୍କୁଳ ଅବସ୍ଥାରେ ନିଜେ ଯାଇ କେବେ କେମିତି ଅଣ୍ଡା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଆଣୁଛନ୍ତି ବୋଲି ଗ୍ରାମର ମହିଳା ସୁରଭି ମୁଠାମାଝୀ,ମଧୁଲତା ମଲିକ ବାସନ୍ତୀ କମଲି ସରିତା ମଲିକ ପ୍ରମୁଖ କହିଛନ୍ତି । ବାରମ୍ବାର ଅଭିଯୋଗ ପରେ ଗତ ବର୍ଷ ସରକାର ଏହି ୨୩ ପରିବାରଙ୍କ ପାଇଁ ସୋଲାର୍‌ ଲାଇଟ୍‌ ର ବ୍ୟବସ୍ଥା କରିଥିଲେ, କିନ୍ତୁ ୬ ମାସ ଚାଲିବା ପରେ ବର୍ତମାନ ତାହା ଖରାପ ହୋଇ ପଡ଼ିଛି ।

ଫଳରେ ଗ୍ରାମବାସୀ ମାନେ ପୂର୍ବରୁ ଯେଭଳି ସମସ୍ୟାରେ ରହୁଥିଲେ ବର୍ତମାନ ମଧ୍ୟ ଗ୍ରାମବାସୀ ମାନେ ପୁର୍ବଭଳି ବିଜୁଳି ସେବାରୁ ବଂଚିତ ରହୁଥିବା କହିଛନ୍ତି । ଏହିଭଳି ପରିସ୍ଥିତିରେ ଦୈନନ୍ଦିନ ଏହି ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ସମସ୍ୟା ସମ୍ପର୍କରେ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ କୈାଣସି ସୁଫଳ ମିଳିପାରିନାହିଁ । ନିର୍ବାଚନ ପୁର୍ବରୁ ପ୍ରଚାର ପ୍ରସାର ପ।।ଇଁ ଗ୍ରାମରେ ପହଂଚି ଲୋକଙ୍କ ଭୋଟ ହାସଲ କରିବା ନେଇ ପୁଳାପୁଳା ପ୍ରତିଶୃତି ଦେଇଛନ୍ତି ।ଭୋଟ ହାସଲପରେ ଭୋଟ ମାଗିବାକୁ ଯାଇଥିବା ନେତା ମାନଙ୍କର ପାଦ ଗାଁରେ ପଡ଼ିନଥିବା କାରଣରୁ ମନେ ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ସିଂଜାକୁଟୀ ଗ୍ରାମର ବିକାଶ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ଗ୍ରାମର ସାହୁ ପାଟ୍ଟମାଝୀ,ପ୍ରଭାକର ମଲ୍ଲିକ, ନିର୍ମ ମଲିକ,ଦର୍ଶନ ମଲ୍ଲିକ, ଆନ୍ଦ୍ରିୟ ମଲ୍ଲିକ, ଜତୀନ ପାଟ୍ଟମାଝୀ,ରୋନାଲ୍ଡ ମଲ୍ଲିକ, ପ୍ରେମିକ ମଲ୍ଲିକ ବିଶ୍ୱନାଥ ପାଟ୍ଟମାଝୀ ଜିସାୟ ମଲ୍ଲିକ ପ୍ରମୁଖ ଦାବିକରିଛନ୍ତି ।

Comments (0)
Add Comment