ବାଲିଗୁଡ଼ା,୨୨/୧୧: କନ୍ଧମାଳ ପୋଲିସ୍ ପକ୍ଷରୁ ଜାରି ରହିଛି ମିସନ୍ କ୍ଲିନ୍ ଗଞ୍ଜେଇ । କ.ନୂଆଗାଁ ପୋଲିସ୍ ଓ ଅବକାରୀ ବିଭାଗର ପକ୍ଷରୁ ସାଇନପଡ଼ା ଅଞ୍ଚଳରେ ପୁଣି ମିଳିତ ଚଢ଼ାଉ କରାଯାଇଛି । ୩୭କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ବିଭାଗ ପକ୍ଷରୁ । କ.ନୂଆଗାଁ ଥାନା ସାଇନପଡ଼ା ଗ୍ରାମ ପଞ୍ଚାୟତର ମାଙ୍କଡ଼ସୁଗା, ଗୋଛାପଡ଼ା, ମୁଣ୍ଡାରଗାଁ ଓ ଜାରେଙ୍ଗା ଅଞ୍ଚଳରେ ୩୭୫ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ପୂର୍ବପ୍ରସ୍ତୁତି ଅନୁଯାୟୀ ଏହିସବୁ ଅଞ୍ଚଳରେ ଦୁଇଦିନିଆ ମିଳିତ ଅପରେସନ୍ କରି ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି ବିଭାଗ ପକ୍ଷରୁ । ଏହି ଅପରେସନରେ କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ,ଏସ୍ଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ,ଏସ୍ଆଇ ପ୍ରମୋଦ କୁମାର ବେହେରା, ବାଲିଗୁଡ଼ା ଅବକାରୀ ଏସ୍ଆଇ ନିରୁପମା ପ୍ରଧାନ,କ.ନୁଆଗାଁ ତହସିଲଦାର ମନୋଜ କୁମାର ଦେବତାଙ୍କ ସହ ସଶସ୍ତ୍ର ପୋଲିସ୍ ଫୋର୍ସ ଓ ଅବକାରୀ ବିଭାଗର କର୍ମଚାରୀ ସାମିଲଥିଲେ । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ଏବଂ ଅଞ୍ଚଳରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି କହିଛନ୍ତି କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ।