ପ୍ରଚାର ମୈଦାନରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ୍‌ ଭିକ୍ଷା

ବାଲିଗୁଡ଼ା,୩/୨: ପ୍ରଚାର ମୈଦାନରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ନିଜର ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ପାଇଁ ଯୋର୍‌ଦାର୍‌ ପ୍ରଚାର ଚାଲିଥିବାବେଳେ ବିଜୁ ଜନତା ଦଳ ପ୍ରଚାର କ୍ଷେତ୍ରରେ ଆଗୁଆଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳିର ବାଟାଗୁଡା ଠାରେ ଜିଲ୍ଲାପରିଷଦ ପ୍ରାର୍ଥୀ ଆଶିଷ ଦିଗାଲଙ୍କ ପାଇଁ ପ୍ରଚାର କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ବାଲିଗୁଡା ଗସ୍ତରେ ଆସି ଦଳୀୟକର୍ମୀ ଓ ନେତା ମାନଙ୍କ ସହ ନିର୍ବାଚନୀ ହାଲଚାଲ ବୁଝିବାସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ ସଂଖ୍ୟା ଗରିଷ୍ଠତା ହାସଲ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ହାତେଇବ ଏନେଇ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ବାଟାଗୁଡ଼ାଠାରେ ଏକ ସାଧାରଣ ସଭାରେ ୧୬ନଂ ଜୋନ୍‌ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ଆଶିଷ ଦିଗାଲଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମନ୍ତ୍ରୀ । ଏଥିରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର,ବ୍ଳକ ସଭାପତି ଟୁନାଦାସ,ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢୀ,ବରିଷ୍ଠ ବିଜେଡି ନେତା ପ୍ରମୋଦ ସାହୁଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମି ଯୋଗଦାନ କରି ଅଞ୍ଚଳର ବିକାଶ ପାଇଁ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଛନ୍ତି ।

Comments (0)
Add Comment