ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର: ଆସନ୍ତାକାଲି ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ

ବାଲିଗୁଡ଼ା,୧୪/୫:- କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲା ଲାଲ୍‌ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଲାଲ୍‌ ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଥିବାବେଳେ କୋଟଗଡ଼ ଥାନା ବଣ୍ଡାପିପିଲି ରାଜ୍ୟ ରାଜପଥ କଡ଼ରେ ମଧ୍ୟ ମାଓ ସଙ୍ଗଠନର ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ୫୯ନଂ ଜାତୀୟ ରାଜପଥର ସିମନବାଡି ଟୋଲଗେଟ ନିକଟ ଓ ବୁଡାଗୁଡା ଛକ ଏବଂ ବଣ୍ଡାପିପିଲି ଗାଁ ରାସ୍ତାକଡ଼ରେ ୧୨ଦଫା ଦାବି ନେଇ ଆସନ୍ତାକାଲି, ଅର୍ଥାତ୍‌ ମେ୧୫ ତାରିଖରେ ୭ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ । ୭ଜିଲ୍ଲା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ । ଦୁଇଦିନ ତଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଘରୁ ଡାକିନେଇ ଗୁଳିକରି ହତ୍ୟା କରିଥିଲେ ।

ଗତକାଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସହିତ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା, ଆଇଜି ଅପେରସନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ସିଆରପିଏଫ କମାଣ୍ଡାଣ୍ଟ ସଂଜୀବ କୁମାର, ବିଏସଏଫ ଆଇଜି ଦୀନେଶ କୁମାର ଶର୍ମାଙ୍କ ଭଳି ରାଜ୍ୟର ୫ବରିଷ୍ଠ ପୋଲିସ ଅଧିକାରୀ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ସିଆରପିଏଫ ଓ ବିଏସଏଫ କ୍ୟାମ୍ପ ବୁଲିବାସହ ମାଓବାଦୀଙ୍କ ଗତିବିଧିର ସମୀକ୍ଷା କରି ଫେରିଥିବା ବେଳେ ଆଜି ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବ୍ୟାନର୍‌ ପୋଷ୍ଟର ଜାରି କରି ନିଜର ଉପସ୍ଥିତି ଜାହିର କରିବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଅନ୍ୟପକ୍ଷରେ କିଛିବର୍ଷ ହେବ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଜଣାପଡ଼ୁନଥିବା ବେଳେ ବର୍ତ୍ତମାନ ପୁଣି ଥରେ ଅଞ୍ଚଳରେ ମାଓବାଦୀଙ୍କ ବ୍ୟାନର ପୋଷ୍ଟର ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Comments (0)
Add Comment