ରେବିଙ୍ଗିଆ ତୁଲିପାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର,ପୋଲିସର ଛାନଭିନ୍

ବାଲିଗୁଡ଼ା,୨୫/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ପଞ୍ଚାୟତର ତୁଲିପାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ୍‌ । ସୂଚନା ପ୍ରକାରେ ରେବିଙ୍ଗିଆ ପଞ୍ଚାୟତର ଟିକୁନ ଗୌଡ଼ ନାମକ ଜଣେ ବ୍ୟକ୍ତି ଏକ ଭୋଜିକୁ ଯାଇ ଗତ ଫେବୃଆରୀ ୨୨ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ନପାଇବାରୁ ମାର୍ଚ୍ଚ ୪ତାରିଖରେ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ଗତକାଲି ରେବିଙ୍ଗିଆ ଅଂଚଳର କିଛି ଲୋକ ତୁଲିପାଜୁ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ ଜଙ୍ଗଲରେ ଦୁର୍ଗନ୍ଧ ପାଇ ଅଞ୍ଚଳବାସୀଙ୍କୁ ଜଣାଇଥିଲେ । ଏହାପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଜଙ୍ଗଲକୁ ଯାଇ ଦେଖିବାପରେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଁଚି ଛାନଭିନ୍‌ ଆରମ୍ଭ କରିଛି ପୋଲିସ । ଏକଜିକୁଟିଭ୍‌ ମାଜିଷ୍ଟ୍ରେଟ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମାଟିତଳୁ କଙ୍କାଳ ଉଦ୍ଧାର କରାଯାଇଛି । କଙ୍କାରୁ ମିଳିଥିବା ଗାମୁଛା, ସାର୍ଟ ଓ ଲୁଙ୍ଗିକୁ ଦେଖି ଏହା ନିଖୋଜ ଟିକୁନ୍‌ ଗୌଡ଼ଙ୍କର କଙ୍କାଳ ବୋଲି ପରିବାର ଲୋକେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟ ପୋଲିସ୍‌ କର୍ମଚାରୀ ତଥା ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ଲୋକଙ୍କ ଆଗରେ ଦାବି କରିଛନ୍ତି । ସେପଟେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସମେତ ବାଲିଗୁଡ଼ା ଏସଡିପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଛାନଭିନ୍‌ ଆରମ୍ଭ କରିଛନ୍ତି । କଙ୍କାଳକୁ ଜବତ କରି ଫୋରେନସିକ୍‌ ଲ୍ୟାବକୁ ପଠାଇଛି ପୋଲିସ୍‌ । ସମ୍ପୂର୍ଣ୍ଣ ଯାଞ୍ଚପରେ କଙ୍କାଳର ପ୍ରକୃତ ପରିଚୟ ମିଳିପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ଏବଂ ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ସମ୍ପର୍କୀୟ ଲୋକେ ଏହି ହତ୍ୟାକାଣ୍ଡ କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Comments (0)
Add Comment