କରୋନାଠୁ ଅଧିକ ଦାଉ ସାଧିଲା ଲଘୁଚାପ ବର୍ଷା କୃଷ୍ଣଚନ୍ଦ୍ରଙ୍କ ଗୁହାରି ଶୁଣିବ କିଏ ?

ବାଲିଗୁଡା,୯/୮ – କରୋନା ନିଆଁରେ ସମଗ୍ର କନ୍ଧମାଳ ଜଳୁଥିବାବେଳେ କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡା ପଞ୍ଚାୟତରୁ ଆସିଛି ଏକ କରୁଣ ଚିତ୍ର । ଏହି ପଞ୍ଚାୟତରେ ଜୀବନ ଜୀବିକା ପାଇଁ ଲଢେଇ କରି ବଞ୍ଚିବାକୁ ଶ୍ରେୟସ୍କର ମନେକରୁଥିବା କୃଷ୍ଣଚନ୍ଦ୍ର ସାହୁଙ୍କ ପରିବାର ବାସ କରୁଥିବା ଝୁଂପୁଡି ଘର ଲଘୁଚାପ ଜନିତ ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ଯାଇଥିବାରୁ ସରକାରୀ ସହାୟତା ଚାହିଁ ରହିଛନ୍ତି ଅସହାୟ କୃଷ୍ଣ । ପରିବାର କହିଲେ ସ୍ତ୍ରୀ ଓ ଏକମାତ୍ର ଝିଅ । ଗତ ତିତଲି ବାତ୍ୟା ସମୟରେ ମଧ୍ୟ କୃଷ୍ଣଚନ୍ଦ୍ରଙ୍କ ଘର କାନ୍ଥ ଭୁଷୁଡି ଯାଇଥିଲା । ସେ ସମୟରେ କୃଷ୍ଣ ଆଶା କରିଥିଲେ ସରକାରୀ ସହାୟତାରେ ଘରଟିଏ ମିଳିବ ବୋଲି । କିନ୍ତୁ ପ୍ରଶାସନ ତରଫରୁ ପଲିଥିନ ପାଲ ଖଣ୍ଡେ ଦେଇ ଚୁପ୍‌ ରହିଯାଇଥିଲେ । କୃଷ୍ଣଚନ୍ଦ୍ରଙ୍କର ପରିବାର ମଧ୍ୟ ପ୍ରମାଣ କରିଦେଇଛନ୍ତି ଯେ ମରୁଡି, ଖରା ଯେତିକି ଟାଣ ସେମାନଙ୍କର ସଂଘର୍ଷ କରି ବଞ୍ଚିବାର ଇଚ୍ଛାଶକ୍ତି ପ୍ରବଳ । ଏମାନଙ୍କୁ ଏକା ସାଙ୍ଗରେ ଦେଖି ସ୍ପଷ୍ଟ ଜଣାପଡୁଛି ଯେ ସେମାନେ ସବୁପ୍ରକାର ପ୍ରାକୃତିକ ଦୈବୀ ଦୁର୍ବିପାକକୁ ଖାତିର ନକରି ସବୁ ଝଡଝଞ୍ଜାକୁ ସହି ଯାଉଛନ୍ତି । କରୋନା ପାଇଁ ବଣ୍ଡଗୁଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବାରୁ କୃଷ୍ଣଚନ୍ଦ୍ର କୌଣସି ସରକାରୀ ଅଧିକାରୀଙ୍କୁ ଏ ସଂପର୍କରେ ଜଣେଇବା ପାଇଁ ମଧ୍ୟ ସୁଯୋଗ ନାହିଁ । ଏଭଳି ପରିସ୍ଥିତିରେ ବଣ୍ଡଗୁଡାର ସାମାଜିକ କର୍ମୀ ବିଜୟ କୁମାର ସାହୁ କ. ନୂଆଗାଁ ତହସିଲଦାରଙ୍କୁ ଯୋଗାଯୋଗ କରି ଜଣାଇବା ପରେ ବଣ୍ଡଗୁଡା ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

Comments (0)
Add Comment