ବାଲିଗୁଡ଼ା,୫/୫:- ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରାଦେଶକୁ । ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ କରିଛନ୍ତି ୧୫ ଦିନିଆ ଲକ୍ ଡାଉନ୍ । ଅତ୍ୟାବଶ୍ୟକ ସେବା ସହ ଗ୍ରସୋରୀ, ପନିପରିବା, ଦୁଗ୍ଧ, ମାଛ, ମାଂସ ଦୋକାନ ସକାଳ ୬ଟା ସମୟରୁ ଦିନ ୧୨ଟା ଯାଏଁ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିବାବେଳେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ବ୍ୟବସାୟୀ ମାନଙ୍କୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକା କରି ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଗଳି କନ୍ଦିରେ ପଇଁତରା ମାରୁଛି ପୋଲିସ୍ । ଅନ୍ୟପଟେ ପ୍ରଥମ ଦିନରେ ଆଜି ସକାଳୁ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଚାଲିଚାଲି ସହରସାରା ବୁଲି ସ୍ଥିତି ଅନୁଧ୍ୟାନ କରିବାସହ ଅମାନିଆଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଛି । ସେପଟେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ମଧ୍ୟ ସକାଳୁ ସକାଳୁ ବାହାରି ବାଲିଗୁଡ଼ା ସହରର ଗଳିକନ୍ଦି ବୁଲି ଯାଞ୍ଚକରିବାସହ ଅମାନିଆଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଛି । ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, କ.ନୂଆଗାଁ, ଦାରିଙ୍ଗବାଡ଼ି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ଗାଡ଼ିମୋଟର ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ ରହିଛି । ସେପଟେ ମୋଟରସାଇକେଲରେ ଯାତାୟତକୁ ବାରଣ କରାଯାଇଥିବାବେଳେ କିଛି ଅମାନିଆ ମୋଟରସାଇକେଲ ନେଇ ଯିବାବେଳେ ପୋଲିସ୍ ପକ୍ଷରୁ ସେମାନଙ୍କୁ ଅଟକାଇ ତାଗିଦ୍ କରୁଥିବା ଦେଖିବାକୁ ମିଳିଛି ।