ବାଲିଗୁଡ଼ା/ତୁମୁଡ଼ିବନ୍ଧ,୧୫/୫: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ୩ ଦିନ ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ତୁମୁଡ଼ିବନ୍ଧ ମଦ ଦୋକାନରୁ ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଧାଫାଶ କଲା ତୁମୁଡ଼ିବନ୍ଧ ପୋଲିସ୍ । ଗତ ୧୦ ତାରିଖ ରାତିରେ ତୁମୁଡ଼ିବନ୍ଧ ଥାନା ରାମପୁର ଛକରେ ଥିବା ନୂଆ ମଦ ଦୋକାନରୁ ଲୁଟ୍ କରିଥିଲେ କିଛି ଦୁବୃର୍ତ୍ତ । ଅଭିଯୋଗ ପ୍ରକାରେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍ । ସମସ୍ତ ଲୁଟ୍ ସାମଗ୍ରୀ ଜବତ କରିବା ସହ ଲୁଟ୍ରେ ବ୍ୟବହୃତ ଅଟୋକୁ ଜବତ କରିଛି ପୋଲିସ୍ । ଘଟଣାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର୍ ଥିବା ଜଣାପଡ଼ିଛି । ସମସ୍ତ ଲୁଟେରା ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୋଧରେ ପୁର୍ବରୁ ଅନେକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ସେମାନଙ୍କ ନିକଟରୁ ମୋବାଇଲ, ଗୋଟିଏ ଖେଳଣା ପିସ୍ତଲ୍, ଗୋଟିଏ ଧାରୁଆ ଛୁରୀ ପୋଲିସ୍ ଜବତ କରିଥିବା ଜଣାପଡ଼ିଛି । ଗତ ୧୦ତାରିଖ ରାତିରେ ସେଲ୍ସ ମ୍ୟାନ୍ ଓ ତାଙ୍କ ସହଯୋଗୀଙ୍କୁ ଖଟରେ ବାନ୍ଧି ମଦ ଦୋକାନରେ ଥିବା ପାଖାପାଖି ୬ଲକ୍ଷ ଟଙ୍କାର ମଦ ସହ ଦୋକାନରେ ଥିବା ଇନଭର୍ଟର, ୟୁପିଆଇ ମେସିନ୍ ସହ ସେଲ୍ସ ମ୍ୟାନଙ୍କ ସ୍କୁଟି ଓ ସିସି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଏହା ତୁମୁଡ଼ିବନ୍ଧ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ସମସ୍ତଙ୍କ ଚେଷ୍ଟା ବଳରେ ଘଟଣାର ତିନିଦିନ ମଧ୍ୟରେ ଆମେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛୁ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମନୋଜ ପୁଜାରୀ । ଅନ୍ୟପଟେ ଆଖପାଖ ଥାନାରେ ଏହି ଗ୍ୟାଙ୍ଗର ପୂର୍ବରୁ ଏଭଳି ଅନେକ ମାମଲା ରହିଛି ଯାହାର ବର୍ତ୍ତମାନ ସମୟରେ ଆମେ ଅଧିକ ତଦନ୍ତ ଜାରି ରଖିଛୁ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ ।