ବାଲିଗୁଡ଼ା,୨୪/୬ :ଦଣ୍ଡ ମୁକ୍ତ ଅଂଚଳରେ ଛାତ୍ରୀଙ୍କୁ କଠୋର ଦଣ୍ଡ । ସ୍ମାର୍ଟ ସ୍କୁଲରେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ, ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଆହତ ହୋଇଥିବା ଅଭିଯୋଗରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡିରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଛାତ୍ରୀ ଜଣକ ରାସାୟନିକ ପ୍ରତିକ୍ରିୟାର ଉତ୍ତର ନଦେଇପାରିବାରୁ ରାଗିଯାଇ ଛାତ୍ରୀଙ୍କ ମୁଣ୍ଡର ଚୁଟି ଟାଣିବାସହ ଏକ ବାଡିରେ ଦୁଇଟି ହାତର ଡେଣା ଓ ହାତ ପାପୁଲିକୁ ମାଡ଼ ମାରି ବିଦ୍ୟାଳୟର ବିଜ୍ଞାନ ବିଭାଗର ଶିକ୍ଷୟତ୍ରୀ ଛାତ୍ରୀଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରୀଙ୍କ ପିତା ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗ ଆସିଥିବା ଶିକ୍ଷୟତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ରୀଙ୍କୁ ମାଡ଼ ମାରିନାହାନ୍ତି । ପାଠ ନ ବୁଝି ପାରିବାରୁ ତାଗିଦ୍ କରି ଗୋଟିଏ ଥର ବାଡେଇଥିଲେ । ଛାତ୍ରଛାତ୍ରୀଙ୍କୁ ସେ ନିଜ ପୁଅ ଝିଅ ଭଳି ଭଲ ପାଇ ୧୨ବର୍ଷ ହେଲା ଏଠାରେ ଶିକ୍ଷା ଦାନ କରି ଆସୁଛନ୍ତି । ସମ୍ପୃକ୍ତ ଛାତ୍ରୀଙ୍କୁ ପାଠ ବୁଝାଇବା ପାଇଁ ଯାଇ ଗୋଟିଏ ମାଡ଼ ଦେଇଥିବା ବେଳେ ଛାତ୍ରୀଙ୍କ ପିତାମାତା ଯାହା ଥାନାରେ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ଶିକ୍ଷୟତ୍ରୀ । ଯଦି ସେ ଛାତ୍ରଛାତ୍ରୀଙ୍କୁ ପାଠ ବୁଝାଇବା ଭୁଲ୍ ତେବେ ସେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।