ମେଡିକାଲ୍ ବାରଣ୍ଡାରେ ଚାଲିଗଲା ଶିଶୁର ଜୀବନ ମୋଟରସାଇକେଲରେ ବୁହାହେଲା ଶବ

ବାଲିଗୁଡ଼ା, ୧୩/୭: ଡାକ୍ତରଖାନା ବାରଣ୍ଡାରେ ଚାଲିଗଲା ସାତ ବର୍ଷ ଶିଶୁର ଜୀବନ । ମୋଟରସାଇକେଲରେ ଘରକୁ ଶବ ନେଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ । ମୋଟରସାଇକେଲରେ ଶବ ବୁହା ହେବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ପ୍ରକାରେ ଗତକାଲି ରାଇକିଆ ବ୍ଲକ୍ ସୁଗଡ଼ବାଡ଼ି ଗ୍ରାମର ସୁନା ନାୟକଙ୍କ ସାତ ବର୍ଷର ପୁଅ ବାଲୁଙ୍କେଶ୍ୱର ନାୟକର ସିକଲିନ୍ ରୋଗ ଥିଲା । ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ କିନ୍ତୁ ରାଇକିଆ ବ୍ଲକ୍ର ବିଭିନ୍ନ ଅଞ୍ଚଳ ବର୍ତମାନ କଣ୍ଟେନମେଣ୍ଟ ଜୋନ୍ ରେ ଥିବାରୁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଁଚି ନଥିଲା । ପରିବାର ଲୋକେ ଏକ ଅଟୋ ସାହାଯ୍ୟରେ ପାଡାନସୁଗା ଘାଟି ପର୍ଯ୍ୟନ୍ତ ପାଖାପାଖି ଚାରି କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚିଥିଲେ । ପ୍ରାଥମିକ ଚିକିତ୍ସାପରେ ସେଠାରୁ ଡାକ୍ତର ବାଲୁଙ୍କେଶ୍ୱର କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଫୁଲବାଣୀ ଯିବାପାଇଁ ଡାକ୍ତରଖାନା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି । ସେପଟେ ପରିବାର ଲୋକେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ପୂର୍ବରୁ ଡାକ୍ତରଖାନା ବାରଣ୍ଡାରେ ଶିଶୁଟିର ଜୀବନ ଚାଲିଯାଇଥିଲା । ଏହାପରେ ମଧ୍ୟ ଡାକ୍ତରଖାନା ପକ୍ଷରୁ ଶବ ନେବାପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ଏକ ମୋଟରସାଇକେଲରେ ଶିଶୁର ଶବକୁ ପରିବାର ଲୋକେ ଘରକୁ ନେଇଥିବା ଜଣାପଡିଛି ।

Comments (0)
Add Comment