ବାଲିଗୁଡ଼ା, (ବିପ୍ରଚରଣ ସାହୁ) – ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ୫ଟି ଜିଲ୍ଲାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଛି ଇକୋ ରିଟ୍ରିଟ୍ । ଓଡ଼ିଶାର ଭୂସ୍ୱର୍ଗ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ ମଧ୍ୟ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି । ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାସହ ତମ୍ବୁତଳେ ପଞ୍ଚତାରକା ହୋଟେଲର ମଜା ନେଉଛନ୍ତି ପର୍ଯ୍ୟଟକ ।
ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ଦୀର୍ଘ ଆଠମାସ ହେଲା ରାଜ୍ୟର ସମସ୍ତ ଆନୁଷ୍ଠାନିକ, ପୂଜା, ପାର୍ବଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ମନୋରଞ୍ଜନ କାର୍ଯ୍ୟକ୍ରମ ସହ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ସହ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଇକୋ ରିଟ୍ରିଟ୍ ମାଧ୍ୟମରେ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଟି ଜିଲ୍ଲାରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ସେଥିମଧ୍ୟରୁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ମଧ୍ୟ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ଏବେ ଧିରେଧିରେ ଏହି ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ସୁ-ବନ୍ଦୋବସ୍ତ କରାଯାଇଛି ଏହି ଇକୋ ରିଟ୍ରିଟ୍ ରେ । ସେପଟେ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ବେଶ ଉପଭୋଗ କରୁଛନ୍ତି ଏବଂ ଇକୋ ରିଟ୍ରିଟ୍ର ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକ ଆକୃଷ୍ଟ ହେଉଥିବା କହିଛନ୍ତି ଗାଇଡ୍ ଲୁଗ୍ନା ପଟ୍ଟନାୟକ ।
ପର୍ଯ୍ୟଟକମାନଙ୍କ ମନ ପସନ୍ଦର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି ଏହି ଇକୋ ରିଟ୍ରିଟ୍ରେ । ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତାପମାତ୍ରା ନିୟନ୍ତ୍ରଣରେ ପଞ୍ଚତାରକା ହୋଟେଲ ଶୈଳୀରେ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତି ହେଉଛି ଖାଦ୍ୟ । ଅନ୍ୟପଟେ ଯୋଗ ବ୍ୟାୟାମ ସହ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଇକୋ ରିଟ୍ରିଟ୍ ପରିସରରେ ସିସି ଟିଭି ଲଗାଯିବା ସହ ପୋଲିସ ଫୋର୍ସ ଓ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଛନ୍ତି । ଏଥିସହିତ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଡାକ୍ତରଖାନା ବ୍ୟବସ୍ଥା କରାଯାଇଛି । ଇକୋ ରିଟ୍ରିଟ୍ କାର୍ଯ୍ୟ ଆରମ୍ଭରୁ ବର୍ତ୍ତମାନ ଯାଏଁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ୍ ଦାରିଙ୍ଗିବାଡ଼ିରେ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ରାଜ୍ୟ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବାସହ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଫୋକସ୍ ରହିବ ବୋଲି ଆଶା ବାନ୍ଧିଛନ୍ତି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ।