ବାଲିଗୁଡ଼ା,୧୪/୪: କନ୍ଧମାଳ ଜିଲ୍ଲା କୋଟଗଡ଼ ପୋଲିସ୍ ହାବୁଡ଼ରେ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ । ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସରେ ଗଞ୍ଜେଇ ନେଇ ଯିବାବେଳେ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିଛି କୋଟଗଡ଼ ପୋଲିସ୍ । ସେମାନଙ୍କ ନିକଟରୁ ୧୦କେଜି ୧୫୦ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ପ୍ରକାରେ ବିଶ୍ୱସ୍ତସୂତ୍ରରୁ ଖବର ପାଇ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିକ୍ରମ କେଶରୀ ଦେହୁରୀ ସଦଳବଳ ସହ କୋଟଗଡ଼ ପାହାଡି ଢ଼ାବା ନିକଟରେ ଅର୍ଣ୍ଣପୂର୍ଣା ନାମକ ଏକ ଘରୋଇ ବସ୍କୁ ଅଟକାଇ ଛାନଭିନ କରିଥିଲା ଓ ବସରୁ ଜାମସେଦପୁରର ଦୁଇ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ସେମାନଙ୍କ ବିରୁଦ୍ଧରେ କେସ୍ ନଂ ୩୫/୨୦୨୧ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ପଠାଇବା ପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇବା ବେଳେ ସେଥିମଧ୍ୟରୁ ଜଣେ ଅଭିଯୁକ୍ତର କରୋନା ପଜିଟିଭ୍ ରିପୋର୍ଟ ବାହାରିଥିବା ଜାଣାପଡ଼ିଥିଲା । ଯାହାଫଳରେ କୋଟଗଡ଼ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା ଓ ଗୋଟିଏ ଦିନ ବିଳମ୍ବରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏହାପରେ କୋଟଗଡ଼ ଥାନା ପରିସରକୁ ସାନିଟାଇଜ୍ କରାଯାଇଥିବା ଦେଖିବାକୁ ମିଳିଛି ।