ବାଲିଗୁଡ଼ା,୧୨/୧୧: ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ସହ ଅଞ୍ଚଳର ଉନ୍ନତି ଦିଗରେ ଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗରେ ଜନପ୍ରତିନିଧିଙ୍କ ଦ୍ୱାରା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଡ଼ିଓ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି ଏବଂ ଅଞ୍ଚଳର ଜନପ୍ରତିନିଧି ଅଞ୍ଚଳର ସମସ୍ୟା ଉପସ୍ଥାପନ କଲେ ମଧ୍ୟ ସେଥିପ୍ରତି କୌଣଶି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ବ୍ଲକ୍ ଅଧ୍ୟକ୍ଷ ଓ ଅନ୍ୟ ଜନପ୍ରତିନିଧି । ଫଳରେ ବ୍ଲକର ୧୪ ଟି ପଞ୍ଚାୟତରେ ସରକାରୀ ଯୋଜନା ଠିକ୍ ଭାବରେ ପହଞ୍ଚି ପାରୁନଥିବାସହ ଓ ଅଞ୍ଚଳବାସୀ ସରକାରୀ ଯୋଜନାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି । ଏନେଇ ବିଡ଼ିଓ ଙ୍କ ବଦଳି ଦାବିରେ ବାଲିଗୁଡ଼ା ବ୍ଲକ୍ ଅଧ୍ୟକ୍ଷ ପ୍ରମୋଦ ମଲ୍ଲିକ, ଉପାଧ୍ୟକ୍ଷ ମିନତୀ ସୁନା ଓ ଅନ୍ୟ ପ୍ରତିନିଧି ମାନେ ଆଠଦିନ ହେଲାଣି ଧାରଣାରେ ବସିଛନ୍ତି । ଘଟଣାକୁ ଆଠଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି । ସମସ୍ୟାର ସମାଧାନ ନହେବା ଯାଏଁ ଧାରଣାରୁ ହଟିବେ ନାହିଁ ଏବଂ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଜନ ପ୍ରତିନିଧି ।