ବାଲିଗୁଡ଼ା,୨୭/୯: କେନ୍ଦ୍ର ସରକାରଙ୍କ ଜନବିରୋଧି, ଶ୍ରମିକ ବିରୋଧୀ ଓ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ ବାଲିଗୁଡ଼ା କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବରେ ବାଲିଗୁଡ଼ା ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍ ରହିଥିବା ଦେଖିବାକୁ ମିଳିଛି । ସହରରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଘରୋଇ ବସଷ୍ଟାଣ୍ଡ ପରିସରରେ ସମସ୍ତ ବସ୍ ଅଟକି ରହିଛି । କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ସ୍ଥାନୀୟ ଗାନ୍ଧୀଛକ ନିକଟ ୫୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଦେଶବ୍ୟାପୀ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ କରୁଥିବା ଜନବିରୋଧି ବିଦ୍ୟୁତ ଆଇନ ଆଣିଥିବା, ଶ୍ରମିକ ବିରୋଧୀ ଶ୍ରମ ଆଇନ ଆଣିଥିବା ଓ କୃଷକ ବିରୋଧୀ ତିନୋଟି କୃଷି ଆଇନ ଆଣିଥିବା ପ୍ରତିବାଦ ସହିତ ୨୧ ଦଫା ଦାବିରେ ଆଜି ଭାରତ ବନ୍ଦ ପାଳନ କରାଯାଉଛି ।