ସିଆରପିଏଫ୍‌ ପକ୍ଷରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଟିଫିନ୍‌ ବୋମା ଉଦ୍ଧାର

ବାଲିଗୁଡା,୨୮/୫: କିଛିଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରିକରି କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓ ସଙ୍ଗଠନ । ସେପଟେ ପୋଲିସର ମାଓ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ଟିଫିନ୍‌ ବୋମା ହୋଇଛି ଉଦ୍ଧାର । ସୂଚନା ପ୍ରକାରେ ବେଲଘର ଥାନା ଲଙ୍କାଗଡ଼ ଗ୍ରାମପଞ୍ଚାୟତର ଗାହାଲି ଗ୍ରାମର ଲୋକ ଜଣେ ଅଜ୍ଞାତ ବ୍ୟକ୍ତି ବ୍ୟାଗରେ କିଛି ଜିନିଷ ବୋହି ନେଇ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ସିଆରପିଏଫ୍‌ କମାଣ୍ଡାଣ୍ଟ୍‌ ରଣନୀତି ପ୍ରସ୍ତୁତ କରିଥିଲେ । ସୂଚନା ପ୍ରକାରେ ଖବର ପାଇବା ପରେ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ କୁମାର ରାଘବେନ୍ଦ୍ରଙ୍କ ନେତୃତ୍ୱରେ ସିଆରପିଏଫ୍‌ ୧୨୭ ବାଟାଲିୟନର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ ଏବଂ ଏନେଇ ଅପରେସନ ଆରମ୍ଭ କରିଥିଲେ । ବିଶେଷଜ୍ଞ ଦଳକୁ ଅପରେସନ୍‌ ଟିମ୍‌ ସହ ପଠାଇ ଘଟଣାର ଅନୁସନ୍ଧାନ କରିବା ବେଳେ ଲଙ୍କାଗଡ଼ ଗାହାଲି ଗାଁଠାରୁ ପ୍ରାୟ ୮୦୦ ମିଟର ଦୂରରୁ ଏକ ଟିଫିନ୍‌ ବୋମା ଉଦ୍ଧାର କରିବାରେ ସକ୍ଷମ ହୋଇଛି ସିଆରପିଏଫ୍‌ ର ଟିମ୍‌ । ଏନେଇ ଆଜି ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଆଜି ସୂଚନା ପ୍ରଦାନ କରିଛନ୍ତି କମାଣ୍ଡାଣ୍ଟ୍‌ ଝା । ଟିଫିନ୍‌ ବୋମା ଉଦ୍ଧାର ପରେ ବୋମା ନିଷ୍କ୍ରିୟ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ବର୍ତ୍ତମାନ ସମୟରେ କନ୍ଧମାଳର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ ନାମରେ ମାଓବାଦୀଙ୍କ କାର୍ଯ୍ୟକଳାପ ବଢ଼ୁଥିବା କୁହାଯାଉଛି । ଅନ୍ୟପଟେ ପୋଲିସ୍‌ ପକ୍ଷରୁ ମଧ୍ୟ ଏନେଇ ରଣନିତି ପ୍ରସ୍ତୁତ କରାଯାଉଥିବା ଶୁଣିବାକୁ ମିଳୁଛି । କିନ୍ତୁ ଅଞ୍ଚଳରେ ଦିନକୁ ଦିନ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । ସମସ୍ୟା ସୁଧୁରିବ କେବେ ଏବଂ କେବେ ଏହାର ସମାଧାନ ହେବ, ଏନେଇ ଚାଲିଛି କଳ୍ପନା ଜଳ୍ପନା । ଅନ୍ୟପଟେ ସିଆରପିଏଫର ସ୍ୱତନ୍ତ୍ର ଟିମ୍‌ ବହୁ ଖୋଜାଖୋଜି କରିବା ପରେ ସଂପୃକ୍ତ ଅଞ୍ଚଳରୁ ୫ ରୁ ୬ କିଲୋଗ୍ରାମର ମେକାନିଜମ ଏକ ଟିଫିନ୍‌ ବୋମା ମିଳିଥିଲା, ଯାହାକୁ ଅପରେସନରେ ଥିବା ସ୍ୱତନ୍ତ୍ର ଦଳ ଦ୍ୱାରା ଘଟଣାସ୍ଥଳରେ ନଷ୍ଟ ହୋଇଯାଇଥିଲା ବୋଲି ସିଆରପିଏଫ୍‌ ପକ୍ଷରୁ କୁହାଯାଇଛି ।

Comments (0)
Add Comment