ସରୁନି ଦାଦନ ଦୁଃଖ

ବାଲିଗୁଡା,୨/୭- କେରଳରେ ପୁଣି ଜଣେ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତ ଶିଶପାଙ୍ଗା ଗ୍ରାମର ମହେନ୍ଦ୍ର ପ୍ରଧାନ (୨୩) । ଗତ ଶନିବାର ଦିନ କେରଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବର୍ତ୍ତମାନସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ସୁଚନା ମିଳିଛି । ମୃତ୍ୟୁ ପରେ ମହେନ୍ଦ୍ର ପ୍ରଧାନ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀ ମାଲିକଙ୍କ ସହାୟତାରେ ସୁଦୂର କେରଳରୁ କନ୍ଧମାଳ ରାଇକିଆ ଶିଶପାଙ୍ଗା ଗ୍ରାମକୁ ଶବ ପହଞ୍ଚିଥିବା ଜଣାପଡ଼ିଛି । ମହାମାରୀ କରୋନା ପ୍ରଭାବରେ ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ ଯୋଗୁଁ ଗାଁରେ କାମ ଧନ୍ଦା ନ ମିଳିବାରୁ କେରଳ ଯାଇ ନିଜ ପରିବାରକୁ ପ୍ରତିପୋଷଣ କରିବା ଆଶାରେ ଗତ ତିନି ମାସ ତଳେ କେରଳ ଯାଇଥିଲେ ମହେନ୍ଦ୍ର ।

ତାଙ୍କ ମୃତଦେହ ନିଜ ଗ୍ରାମରେ ପହଁଚିବା ପରେ ଗାଁ ସାରା ଶୋକର ଛାୟା ଖେଳିଯାଇଛି । ସେ ପରିବାରର ରୋଜଗାର ପୁଅ ଥିଲେ । ତାଙ୍କ ଭରସାରେ ପାଞ୍ଚ ଭଉଣୀ ଓ ବାପା ମା ଚଳୁଥିଲେ । ମହେନ୍ଦ୍ରଙ୍କ ମୃତ୍ୟୁ ପରେ ଏବେ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର । ସେପଟେ ଅଞ୍ଚଳରେ ମନରେଗା ଯୋଜନାରେ ଆସୁଥିବା କାମ ଶ୍ରମିକଙ୍କ ଦ୍ୱାରା ନକରାଇ ମେସିନ୍‌ ଦ୍ୱାରା କାମ କରାଯାଉଛି । ଏଣୁ ଆମ ଅଞ୍ଚଳର ଲୋକମାନେ କାମ ଧନ୍ଦା ଅଭାବରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଛନ୍ତି ମୃତ ମହେନ୍ଦ୍ରଙ୍କ ବାପା ।

Comments (0)
Add Comment