ବାଲିଗୁଡ଼ା,୧୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ର ଲାଠିଚାର୍ଜକୁ ନେଇ ଦଣ୍ଡପଦର ଗାଁରେ ଉତ୍ତେଜନା । ସୂଚନା ପ୍ରକାରେ ଗତକାଲି ରାତିରେ କୌଣସି କାରଣରୁ ଦଣ୍ଡପଦର ଗାଁରେ ଅଚାନକ ଚଢ଼ାଉ କରି ପୋଲିସ୍ ଲାଠିଚାର୍ଜ କରି ଗାଁ ଲୋକଙ୍କୁ ଲହୁଲହାଣ କରିଥିବା ଅଭିଯୋଗ ହୋଇଛି । ନାବାଳକ ସମେତ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଆଜି ସକାଳୁ ଦଣ୍ଡପଦର ଗାଁ ରେ ଉତ୍ତେଜନା ଦେଖାଦେଇଛି । ଦଣ୍ଡପଦର ଗାଁ ୫୯ନଂ ଜାତୀୟ ରାଜପଥ ଉତ୍ୟକ୍ତ ଲୋକମାନେ ଅବରୋଧ କରିଥିଲେ । ଅନ୍ୟପଟେ ବିନା କାରଣରେ କାହିଁକି ପୋଲିସ୍ ମାଡ଼ ମାରିଛି ଏହାର ତଦନ୍ତ ଦାବି କରିବା ସହ ଆହତ ଲୋକଙ୍କୁ କ୍ଷତିପୂରଣ ଦାବି କରିବାସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା । ଖବରପାଇ ବାଲିଗୁଡ଼ା ଏସଡିପିଓ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଦୀର୍ଘ ତିନିଘଣ୍ଟା ପରେ ରାସ୍ତା ଅବରୋଧ ହଟିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି ।