ବାଲିଗୁଡା: ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢ଼ାଉ । ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ତିନିଜଣ ମାଫିଆଙ୍କୁ ଗିରଫ କରିବା ସହ ଚୋରାଚାଲାଣରେ ବ୍ୟବହୃତ ଏକ ଜାଇଲୋ କାରକୁ ଜବତ କରିଛି ପୋଲିସ୍ । ସୂଚନା ପ୍ରକାରେ ମହାମାରୀ କରୋନାକୁ ନେଇ ରାଜ୍ୟ ସରକାରଙ୍କ ନୂଆ କଟକଣା ପ୍ରକାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ଅଞ୍ଚଳରୁ ବ୍ରହ୍ମପୁର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗାଡ଼ି ମୋଟର ଯାଞ୍ଚ୍ ସହ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଥିଲା ପୋଲିସ୍ । ପେଟ୍ରୋଲିଂ ସମୟରେ ଦାରିଙ୍ଗବାଡି ଥାନା କିରିକୁଟି ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ କାରକୁ ଜବତ କରିବା ସହ ତିନିଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି ପୋଲିସ । ଗିରଫ ତିନିଜଣ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଅରୁଣ ପାଣିଗ୍ରାହୀ,ବଡ଼ଗଡ଼ ଥାନା ଅଞ୍ଚଳର ଜଗନ୍ନାଥ ରଥ ଓ ବଡ଼ଗଡ଼ ଥାନା ନୁଆଗାଁ ଅଞ୍ଚଳର ପୁର୍ଣ୍ଣଚନ୍ଦ୍ର ନାୟକ ହୋଇଥିବା ଜଣାପଡ଼ିଛି । ସେପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ତିନି ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ।