ଅନୁଷ୍ଠିତ ହେଲା ବାମ୍‌ ଲଙ୍କାପୋଡି ଯାତ୍ରା, ଉତ୍ସବରେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ

ଦଶପଲ୍ଲା : ବଣ ପାହାଡ ଘରା ଦଶପଲ୍ଲା ପଶ୍ଚିମାଞ୍ଚଳ ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ଐତିହ୍ୟ ପୂର୍ଣ୍ଣ ପୁରାତନ ବାମ୍‌ ଗ୍ରାମରେ ରାମଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି । ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଥିବା ଏହି ନୀଳାଭିନୟ ମହୋତ୍ସବ, ରାବଣ ବଧ ବା ଲଂକାପୋଡିରେ ସମାପ୍ତ ହୋଇଥାଏ । ଶ୍ରୀରାମ ନବମୀଠାରୁ ପ୍ରାୟ ଦେଢ଼ମାସ ଧରି ଗ୍ରାମର ମଧ୍ୟସ୍ଥଳରେ ପ୍ରତ୍ୟେକଦିନ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୂ ରାମଚନ୍ଦ୍ରଙ୍କର ନୀଳାଭିନୟ ଅନୁଷ୍ଠିତ ହୋଇଥାଏ । ୧୯୫୯ ମସିହାରୁ ପ୍ରଚଳିତ ଏହି ନୀଳା ମହୋତ୍ସବରେ ବାମ୍‌, ଚଢେୟାପଲ୍ଲୀ, କଳସା ଖମଣ ଆଦି ଦଶପଲା ପଶ୍ଚିମାଞ୍ଚଳର ୭ ଗୋଟି ଗ୍ରାମପଂଚାୟତର ହଜାର ହଜାର ଶ୍ରଦ୍ଧାଳୁ ପ୍ରତ୍ୟେକ ଦିନ ନୀଳାଭିନୟକୁ ଉପଭୋଗ କରିଥାନ୍ତି ।

ଗତକାଲି ଏହି ମହୋତ୍ସବର ଅନ୍ତିମ ଦିବସ ବା ଲଂକାପୋଡି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଦଶପଲ୍ଲାର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ ଯୋଗ ଦେଇ କହିଥିଲେ ଯେ, ୬୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିନା ସରକାରୀ ସହାୟତାରେ ଚାଲିଆସିଥିବା ଏହି ମହୋତ୍ସବ ଆଜି ବି ଲୋକଲୋଚନକୁ ଆସିପାରିନାହିଁ । ଏହାର ପ୍ରଚାର ପ୍ରସାର ପାଇଁ ଆମେ ଚେଷ୍ଟିତ ହେବା ଉଚିତ୍‌ । ଏହି ମହୋତ୍ସବ କିଭଳି ଭାବରେ ସାରା ଓଡିଶାବାସୀଙ୍କ ଦୃଷ୍ଟି ଆକର୍ଷଣ କରିବ, ସେଥିପାଇଁ ଅଂଚଳବାସୀ ଓ ମହୋତ୍ସବ କମିଟି ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଅଂଚଳବାସୀଙ୍କ ଅନୁରୋଧ କ୍ରମେ ବାମ୍‌ ଗ୍ରାମରେ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା କରିବାକୁ ଶ୍ରୀ ନାୟକ ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ମହୋତ୍ସବ ରେ ଶ୍ରୀ ନାୟକଙ୍କ ସମେତ ଦଶପଲ୍ଲା ପଶ୍ଚିମାଞ୍ଚଳର ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ବହୁ ମାଣ୍ୟଗଣ୍ୟ ଆଦିବାସୀ ନେତା ଯୋଗଦେଇଥିଲେ ।

Comments (0)
Add Comment