ଭୁବନେଶ୍ୱର,୨୭/୮- ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି । ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ରୋଗ ପାଇଁ ପ୍ଲାଜମା ଚିକିତ୍ସା ପଦ୍ଧତିରେ ଓଡିଶା କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଏକ ଅଗ୍ରଗଣ୍ୟ ସ୍ଥାନ ହାସଲ କରିପାରିଛି । ଆମର ଡାକ୍ତର ଓ ମେଡିକାଲ ଟିମ୍ର ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁ ଏହା ସଫଳ ହୋଇପାରିଛି ଏବଂ ଆମେ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ସବୁ ନାଗରିକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର କେହି ଜଣେ ବି ରୋଗୀ ଅତ୍ୟାଧୁନିକ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ । ବର୍ତ୍ତମାନ ଏହି ନୂଆ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ ହେବା ଦ୍ୱାରା ରାଜ୍ୟର ସବୁ ଅଞ୍ଚଳର କୋଭିଡ ରୋଗୀମାନେ ପ୍ଲାଜମା ଚିକିତ୍ସାର ସୁବିଧା ପାଇପାରିବେ ।
ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ୱାରା ସେହି ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆମର ଜନଜାତି ଭାଇଭଉଣୀଙ୍କ ଆସ୍ଥା ଓ ବିଶ୍ୱାସକୁ ଅଧିକ ସୁଦୃଢ କରିଛି ବୋଲି ସେ କହିଥିଲେ ।ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ ଆହ୍ୱାନ ଜଣାଇଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଥିଲେ ଯେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବାଦ୍ୱାରା ଓଡିଶାର ଦକ୍ଷିଣାଞ୍ଚଳର କୋଭିଡ ରୋଗୀମାନେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସଫଳ କରି ପ୍ଲାଜମା ଦାନ କରିବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଆଗେଇ ଆସିବାକୁ ଦୁଇ ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ଲାଜମା ବ୍ୟାଙ୍କ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଜଣେ ପ୍ଲାଜମା ଦାତାଙ୍କ ସହ କଥାହୋଇ ତାଙ୍କର ମହନୀୟତା ପାଇଁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ନବରଂଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଏବଂ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।