ଭୁବନେଶ୍ୱର,୧୭/୭- ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍ରେ ମାଟ୍ରିକ ପରୀକ୍ଷା ହେବ । ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ । ଛାତ୍ରଛାତ୍ରୀମାନଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ଥର୍ମାଲ୍ ସ୍କାନିଂ କରାଯିବ । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ମାଟ୍ରିକ ପରୀକ୍ଷା ପରିଚାଳନା କରାଯିବ । ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷଣ କରାଯିବ । ଚଳିତ ଜୁଲାଇ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ । ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ୍ ପାଇଁ ଏହି ନିୟମ ଲାଗୁହେବ । ସମସ୍ତ ଶ୍ରେଣୀର ପାଠପଢା ଅନଲାଇନ୍ ମାଧ୍ୟମରେ ହେବ । ସକାଳ ୧୦.୦୦ ରୁ ଦିନ ୧.୩୦ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବ । ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟର ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍ଥଳ ବିଶେଷରେ ସ୍କୁଲ୍ ଖୋଲାଯିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେ । ପରିସ୍ଥିତି ଅନୁସାରେ ଅଗଷ୍ଟ ମାସରେ ୯ମ ଶ୍ରେଣୀ ପାଠ ପଢା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ପାଠପଢା କିପରି ହେବ ସେନେଇ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଅଛି । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ପାଠପଢା ପରିଚାଳନା କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।