ଭୁବନେଶ୍ୱରରେ ପୁଣି ଆଉ ୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୮/୬: ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀର କରାଳରୂପ ଦିନକୁଦିନ ଭୟାନକ ରୂପ ନେଇଛି । ଆଜି ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଜଣେ ଡୁମଡୁମା, ନୟାପଲ୍ଲୀ ଓ ବାପୁଜୀନଗର ବୋଲି ଜଣାପଡିଛି । ଲୋକାଲ କଣ୍ଟାକ୍ଟ ୩ଜଣଙ୍କ ମଧ୍ୟରୁ ଜଣେ ମହିଳା କର୍ମଚାରୀ ଏକ ଘରୋଇ ହସପିଟାଲ, ଆଉ ଜଣେ ଟଙ୍କପାଣି ରୋଡ ରାଜାରାଣୀ ମନ୍ଦିର ନିକଟ ୫୫ ବର୍ଷୀୟ ପୁରୁଷ ଓ ଅନ୍ୟଜଣକ ଫରେଷ୍ଟପାର୍କ ଅଞ୍ଚଳର ୩୬ ବର୍ଷୀୟା ଯୁବକ । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୧୯ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି  ରାଜ୍ୟଖବର ଅନୁଯାୟୀ ଆଜି ରାଜ୍ୟରେ ୨୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୬,୬୧୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୦ଜଣ ସ୍ଥାନୀୟ ଅଞ୍ଚଳର  । ଏହାବ୍ୟତୀତ ରାଜ୍ୟରେ ଆଜି ଆଉ ୩ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମର ଜଣେ ୭୫ ବର୍ଷୀୟ ବୃଦ୍ଧ । ଆଉଜଣେ କଟକ ଜିଲ୍ଲାର ୬୫ ବର୍ଷୀୟ ବୃଦ୍ଧ ଓ ଅନ୍ୟଜଣକ ଭୁବନେଶ୍ୱରର ୭୩ ବର୍ଷୀୟ ବୃଦ୍ଧ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖା ୨୧ରେ ପହଞ୍ଚିଛି ।

Comments (0)
Add Comment