ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୮ ତାରିଖ ସାରାଦେଶରେ ଦିଆଯାଇଥିବା ରେଳରୋକ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର, ୧୬/୧୦- ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପରିଷଦ ରୁ ବହିଷ୍କାର କରିବା, ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଏବଂ କୃଷକ ବିରୋଧୀ ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଆସନ୍ତା ୧୮ ତାରିଖ ସୋମବାର ସାରାଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ରେଳରୋକ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ କରିବା ପାଇଁ ନିଷ୍ପତି ନେଇଛି ବୋଲି ଆଜି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଆଜି ଦେଶରେ ଚାଲିଥିବା ଅନ୍ୟାୟ, ଅବିଚାର, ଅତ୍ୟାଚାର,କୃଷକ ଗଣହତ୍ୟା,କୃଷକ-ଶ୍ରମିକ ମାରଣନୀତି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି, କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ମହିଳା ମାନଙ୍କ ବିରୋଧରେ ହିଂସା, ଆକ୍ରମଣ ଇତ୍ୟାଦି ସବୁ ପାଇଁ କେନ୍ଦ୍ରର ମୋଦି ସରକାର ଦାୟୀ । ମୋଦି ସରକାର ହେଉଛନ୍ତି ଦେଶ ଏବଂ ଦେଶବାସୀଙ୍କ ପାଇଁ ଶତ୍ରୁ । ଏହି ମର୍ମରେ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତି ମାନଙ୍କୁ ପତ୍ର ଲେଖିଛନ୍ତି । ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମୁଖ୍ୟ ଓ ପ୍ରକୋଷ୍ଠର କର୍ମକର୍ତା, ସାଂସଦ ଓ ବିଧାୟକ ପ୍ରାର୍ଥୀ, କୃଷକ, ଶ୍ରମିକ ଓ ଜନସାଧାରଣ ଆସନ୍ତା ୧୮ ତାରିଖ ସୋମବାର ଦିନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ରେଳରୋକରେ ସାମିଲ ହୋଇ ରେଳରୋକ ଡାକରା କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

Comments (0)
Add Comment