ଭୁବନେଶ୍ୱର,୨୫/୬- ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅନ୍ତର୍ଗତ ମେଲଘର ଗାଁର ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କି.ମି କାନ୍ଧରେ ବୋହି ଦେଶ ବିଦେଶରେ ଚର୍ଚ୍ଚିତ ହୋଇଥିବାବେଳେ ଏବେ ସେହି ଦାନ ମାଝୀଙ୍କ ଝିଅ କିସ୍ରେ ପାଠ ପଢି ମ୍ୟାଟ୍ରିକ ପାସ୍ କରି ଚର୍ଚ୍ଚାକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ଦାନ ମାଝୀଙ୍କ ଖବର ଜାଣିବାପରେ କିସ୍ ଓ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଦାନଙ୍କ ୩ ଝିଅଙ୍କୁ କିସ୍ରେ ରଖି ପାଠ ପଢାଇବାର ବନ୍ଦୋବସ୍ତ କରିଥିଲେ ।
ଆଜି ପ୍ରକାଶ ପାଇଥିବା ମ୍ୟାଟ୍ରିକ ଫଳରୁ ଜଣାପଡିଛି ଯେ କିସ୍ରେ ଶତପ୍ରତିଶତ ରେଜଲଟ୍ ହୋଇଥିବାବେଳେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ମାଝୀ ଦାରିଦ୍ର୍ୟର କଷାଘାତକୁ ଭୁଲି କିସ୍ର ଉତ୍ତମ ପରିବେଶରେ ମ୍ୟାଟ୍ରିକ ସୋପାନ ଅତିକ୍ରମ କରିଛନ୍ତି । ଚାନ୍ଦିନୀଙ୍କର ଅନ୍ୟ ଦୁଇ ସାନ ଭଉଣୀ ମଧ୍ୟ କିସ୍ରେ ପାଠ ପଢୁଛନ୍ତି । ଦାନଙ୍କ ଝିଅ ମ୍ୟାଟ୍ରିକ ପାଶ୍ କରିବାପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅସମୟରେ କିସ୍ ସାହାଯ୍ୟର ହାତ ବଢାଇଥିବାରୁ ଆଜି ତାଙ୍କ ଝିଅ ମ୍ୟାଟ୍ରିକ ପାଶ୍ କରିପାରିଛି ଓ ଅନ୍ୟ ଦୁଇଝିଅ ମଧ୍ୟ କିସ୍ ରେ ଭଲରେ ରହି ପାଠ ପଢିପାରୁଛନ୍ତି ବୋଲି ସେମାନେ କହିଛନ୍ତି । କିସ୍ ଫଳାଫଳ ନେଇ ପ୍ରତିଷ୍ଠାତା ଡ. ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ।